ଭୁବନେଶ୍ୱର: ତୃଣମୂଳସ୍ତରରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସୋମବାର ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ନାମକ ଦୁଇଟି ପଦକ୍ଷେପ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୬୦ରୁ ଅଧିକ ଶିକ୍ଷାନୁଷ୍ଠାନର ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ। ରାଜ୍ୟ ସରକାର ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହ ଷ୍ଟାର୍ଟଅପ୍ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
୨୦୨୫ ସୁଦ୍ଧା ଓଡ଼ିଶାରେ ୫ ହଜାର ଷ୍ଟାର୍ଟଅପ୍ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛୁ। ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ଷ୍ଟାର୍ଟଅପ୍ ଯାତ୍ରା ଏକ ରୋଡ୍ ଶୋ’ ଯାହା ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାକୁ ଯାତ୍ରା କରିବ। ଏହି ରୋଡ୍ ସୋ’ରେ ୨୬୦ରୁ ଅଧିକ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ ଏବଂ ଷ୍ଟାର୍ଟଅପ୍ ପାଇଁ ଧାରଣା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯିବ। ରୋଡ୍ ସୋ’ରୁ ଶ୍ରେଷ୍ଠ ୫୦ଟି ବିଚାରକୁ ୩ ଦିନିଆ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯିବ।
ଷ୍ଟାର୍ଟଅପ୍ ଏକ୍ସପ୍ରେସ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଷ୍ଟାର୍ଟଅପ୍ ପାଇଁ ଏକ ପ୍ରତିଯୋଗିତା। ପ୍ରତିଯୋଗିତାର ଶ୍ରେଷ୍ଠ ୨୦ଟି ଷ୍ଟାର୍ଟଅପ୍କୁ ଚୂଡ଼ାନ୍ତ ପିଚିଂ ପାଇଁ ଆମନ୍ତ୍ରଣ କରାୟିବ। ଶ୍ରେଷ୍ଠ ୧୦ଟି ଷ୍ଟାର୍ଟଅପକୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ୍, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାସ୍ୱତ ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର ନିର୍ଦ୍ଦେଶକ ଓମକାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.