Latest Odisha News

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରେ ଡାକି ଅପହରଣ, ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ଗିରଫ

ଭୁବନେଶ୍ୱର: ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।। ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି, ତାଙ୍କ ପତ୍ନୀ ଇରାନୀ ପାତ୍ର, ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା।

ଗତ ୮ ତାରିଖ ରାତିରେ ଇରାନୀ ପାତ୍ର ଫୋନ୍ କରି ଉକ୍ତ ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍‌ସ ଅଞ୍ଚଳ ସ୍ଥିତ ତାଙ୍କ ଭଡ଼ା ଘରକୁ ଡାକିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି କହି ସେ ଡାକ୍ତରଙ୍କୁ ସେଠାକୁ ଡାକାଇଥିଲେ। ଡାକ୍ତର ଓ ଇରାନୀ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଏକ ହସ୍‌ପିଟାଲରେ ଇରାନୀ ଚିକିତ୍ସିତ ହେଉଥିବା ବେଳେ ସେଠାରେ ନିଯୁକ୍ତ ହୋଇଥିଲେ ଏହି ଡାକ୍ତର।

ଡାକ୍ତର ଇରାନୀଙ୍କ ଘରେ ପହଞ୍ଚିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ତାଙ୍କୁ ନେଇ ଗୋଟିଏ ରୁମ୍‌ରେ ବନ୍ଦୀ କରି ଦେଇଥିଲେ। ସେମାନେ ଡାକ୍ତରଙ୍କୁ ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ମାରପିଟ କରିବା ସହ ଡାକ୍ତରଙ୍କ ଠାରୁ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ଏହାସହ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ ମାମଲାରେ ଫସାଇ ଦେବେ। ଏହାପରେ ଡାକ୍ତର ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ। କିନ୍ତୁ ଫୋନ୍ ପେ’ରେ ଲକ୍ଷେ ଟଙ୍କାରୁ ଅଧିକ ଟ୍ରାନ୍ସଫର ହୋଇପାରିବ ନାହିଁ ବୋଲି ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ଏହା ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କ ଘରେ ଯାଇ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। କୌଣସି ସୂତ୍ରରୁ ପୋଲିସ ତଦନ୍ତ କରି ଉକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଲୁହା ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ଇରାନୀ ପାତ୍ରଙ୍କ ନାଁରେ ୯ ଲକ୍ଷ ଟଙ୍କାର ଏକ ଚେକ୍‌ ଜବତ କରାଯାଇଛି।

Comments are closed.