ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ
ମୁଁ ପୁଣି ଆସିବି ଫେରି
ଧାନ ସିଢି ଚଢ଼ି ବଢ଼ି
ମୋର ଏଇ ପ୍ରିୟ ଦେଶ
ବଂଗ ପ୍ରଦେଶରେ
ହୁଏତ ବା ଶଙ୍ଖଚିଲ ରୂପ ନେଇ
ଅବା ସେଇ ଭୋର ବେଳା
ରାବି ଭାବି ଉଡୁଥିବା କୁଆ ହୋଇ
ନବାନ୍ନ ଉତ୍ସବ ପାଇଁ
କାର୍ତ୍ତିକ ମାସରେ।
କୁହୁଡି ସହିତ ଭାସି
ଆସିବି ହୁଏତ ଦିନେ
ପଣସର ଗଛ ଛାଇତଳେ
ଅଥବା ହୁଏତ, ଏକ ରାଜହଂସ ହୋଇ
ଯା ପାଦରେ କିଶୋରୀର
ନାଲି ପୁଙ୍ଗୁରର ସଙ୍କେତକୁ ନେଇ
କଟିଯିବ ସାରାଦିନ ଭାସି ଭାସି
କଳମୀ ଶାଗର ଗନ୍ଧେ
ଭରା ଜଳ ଧାରେ ।
ଆସିବି ପୁଣି ମୁଁ ଫେରି
ଭଲ ପାଇ ବଙ୍ଗଳାର
ନଦୀ,ବିଲ,ବନାନୀ ପ୍ରାନ୍ତରେ
କୂଳର ଢେଉରେ ଭିଜା ମୋ ରାଜ୍ୟର
ସବୁଜ,କରୁଣ ସେଇ ଦଦରା ଡଙ୍ଗାରେ ।
ହୁଏତ ଦେଖିବି ଚାହିଁ ସୁଦର୍ଶନ
ଉଡୁଅଛି ସନ୍ଧ୍ୟା ପବନରେ
ହୁଏତ ଶୁଣିବ ଏକ ଲକ୍ଷ୍ମୀ ପେଚା
ଡାକେ ବସି ଶିମୁଳି ଢାଳରେ ।
ହୁଏତ ଖଇର ଧାନ ଶିଶୁଟିଏ
ବିଞ୍ଛୁଅଛି ଅଗଣାର ଘାସର ଉପରେ
ହୁଏତ କିଶୋର ଏକ ଧଳା, ଛିଣ୍ଡା,
ପାଲ ଲଗା ଡଙ୍ଗା ବାହେ
ରୂପସାର ଗୋଳିଆ ପାଣିରେ ।
ହୁଏତ ଦେଖିବ ତୁମେ ଧଳା ଏକ ବଗ
ମେଲିଦେଇ ଡେଣା, ରଙ୍ଗୀନ ମେଘକୁ
ଠେଲି ପହଁରି ପହଁରି ଆସେ
ଅନ୍ଧକାର ଭେଦି,ଫେରୁଛି ତା ନୀଡେ
ମୋତେ ଯଦି ଖୋଜ ତୁମେ
ନିଶ୍ଚୟ ମୁଁ ମିଳିଯିବି ୟାଙ୍କ ଗହଣରେ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.