ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
ସୁଦୃଶଃ -ଲଘୁଚାପ କ୍ଷେତ୍ର ର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଲଘୁଚାପ ସକ୍ରିୟ ଥିବାରୁ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗୀରରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ୨୧୫ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ସେହିପରି କଳାହାଣ୍ଡି ଏମ ରାମପୁରରେ ୧୯୩ ମିମି, ଥୁ.ରାମପୁରରେ୧୫୮ ମିମି, କଣ୍ଟାମାଳରେ ୧୫୮, କେନ୍ଦ୍ରାପଡାରେ ୧୩୨.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୭୬.୮, ଭୁବନେଶ୍ୱରରେ ୫୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରିଣ ଓଡ଼ିଶାରେ ଆଜି ପ୍ରବଳ ମାତ୍ରାରେ ବର୍ଷା ହେବ । ଆସନ୍ତାକାଲିଠାରୁ ଲଘୁଚାପ କ୍ଷେତ୍ର ସ୍ଥଳ ଭାଗକୁ ପ୍ରବେଶ କଲେ ଜଳୀୟ ବାଷ୍ପର ମାତ୍ରା କମିବ । ଫଳରେ ବର୍ଷାର ମାତ୍ରା କମିବ ।
ଏପଟେ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି । ଏହାର ପ୍ରଭାବରେ ସାଲୁଙ୍କୀ ନଦୀ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି । ନଦୀଖଣ୍ଡି ସାହିରୁ ଡାକପାଲା ସାଲୁଙ୍କୀ ନଦୀ ବ୍ରିଜ ବୁଡ଼ି ଯାଇଛି । ଗୋଚ୍ଛାପଡ଼ାରୁ ସଲାଗୁଡ଼ା ରାସ୍ତା ଜଳମଗ୍ନ ହୋଇଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।
Comments are closed.