ମୁଜାଫରପୁର: ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବାଗମତି ନଦୀରେ ୩୩ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ନଦୀରେ ବୁଡ଼ି ଯାଇଛି। ସେଥିମଧ୍ୟରୁ ୧୬ ଜଣ ନିଖୋଜ ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୧୭ ପିଲାଙ୍କୁ ଉଦ୍ଧାର କରାଯାଇଛି । ପିଲାମାନେ ଡଙ୍ଗାରେ ସ୍କୁଲ ଯାଉଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମୁଜାଫରପୁରର ଗାୟଘାଟ ଏବଂ ବେନିବାଦ ଓପି ଅଞ୍ଚଳର ଭଟଗାଁମା ଗାଁର ମଧୁରପଟ୍ଟୀ ଘାଟରେ ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଗାୟଘାଟ ଏବଂ ବେନିବାଦ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପିଲାମାନେ ଏକ ଡଙ୍ଗାରେ ସ୍କୁଲ ଯାଉଥିଲେ। ଡଙ୍ଗାରେ ୩୩ରୁ ଅଧିକ ପିଲା ଥିଲେ। ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗା ଭାରସାମ୍ୟ ହରାଇ ନଦୀରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡଙ୍ଗାରେ ଥିବା ପିଲାମାନେ ଚିତ୍କାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ ଟିମ ପହଞ୍ଚିଥିଲା।
Comments are closed.