Latest Odisha News

ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କର, ବିଜେପିର ସନାତନ ଧର୍ମ ପ୍ରସଙ୍ଗରୁ ନିବୃତ୍ତ ରୁହ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ରଣନୀତି ଉପରେ ଧ୍ୟାନ ଦେବାକୁ କଂଗ୍ରେସ ନେତାମାନଙ୍କୁ ରାହୁଲ ଶନିବାର ଆହ୍ୱାନ ଦେଇଛନ୍ତି। ସନାତନ ଧର୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦୂରେଇ ରହିବାକୁ ରାହୁଲ ଦଳୀୟ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ଏହି ବିବାଦର ଗୁରୁତ୍ୱ ନାହିଁ, ଏବଂ ବିଜେପି ଯାହା ଚେଷ୍ଟା କରୁଛି ତାହା ବଦଳରେ ଦଳ କ’ଣ କରିବା ଆବଶ୍ୟକ ତାହା ଉପରେ ଦଳ ଚିନ୍ତା କରିବା ଉଚିତ୍। ଅର୍ଥାତ ବିଜେପି ଯେଉଁ ପ୍ରସଙ୍ଗକୁ ଆଗକୁ ନେଇ ନିଜର ଫାଇଦା ପାଇଁ ରାସ୍ତା ଖୋଜୁଛି ତା ଉପରେ ଗୁରୁତ୍ୱ ନଦେଇ ଦଳ କିଭଳି ନିର୍ବାଚନରେ ସଫଳ ହୋଇପାରିବ ତାଉପରେ ଗୁରୁତ୍ୱ ଦେବାକୁ ରାହୁଲ କହିଛନ୍ତି।

ଦଳର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ କହିବାନୁସାରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଡିଏମକେ ‘ସନାତନ ଧର୍ମ’କୁ ନେଇ ଯେଉଁ ବିବାଦ ସୃଷ୍ଟି କରିଛି, ସେଥିରେ ଦଳ ପ୍ରଭାବିତ ହେବ ନାହିଁ। ଚିଦାମ୍ବରମଙ୍କୁ ପଚରାଯିବାରୁ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ବୈଠକରେ ବିବାଦର ପ୍ରସଙ୍ଗ ଉଠିନାହିଁ। ସନାତନ ଧର୍ମକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଆମେ ସର୍ବଧର୍ମ ସମଭାବରେ ବିଶ୍ୱାସ କରୁ। ଏହା ଦଶନ୍ଧି ଦଶନ୍ଧି ଧରି ଆମର ସ୍ଥିର ସ୍ଥିତି, ଏବଂ ଆମେ ଏହି ପ୍ରସଙ୍ଗରେ କୈଣସି ବିବାଦରେ ପଡ଼ୁ ନାହୁଁ ବୋଲି ସେ କହିଛନ୍ତି।

ସିଡବ୍ଲୁସି ଆଲୋଚନା ସମୟରେ କିମ୍ବା ବାହାରେ ଖଡଗେ ଏହି ପ୍ରସଙ୍ଗ ଉପରେ କହିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କିଛି ସଦସ୍ୟ ବିଜେପି ଦ୍ୱାରା ବିଛାଯାଇଥିବା ଜାଲ ଭଳି ଏହି ବିବାଦକୁ ଛୁଇଁଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସିଡବ୍ଲୁସିରେ ନିଜର ଅଭିଭାଷଣରେ ଖଡଗେ ମଣିପୁରରୁ ୟୁପି, ରାଜସ୍ଥାନ, ଦିଲ୍ଲୀ ଏବଂ ହରିୟାଣାର ନୁହ ଯାଏ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିବାରୁ ମୋଦୀ ସରକାର ଏବଂ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।

ଏହି ଘଟଣାଗୁଡ଼ିକ ଭାରତର ଆଧୁନିକ, ପ୍ରଗତିଶୀଳ ଓ ଧର୍ମନିରପେକ୍ଷ ଭାବମୂର୍ତ୍ତି ଉପରେ କଳଙ୍କିତ। ଏଭଳି ପରିସ୍ଥିତିରେ ଶାସକ ଦଳ, ସାମ୍ପ୍ରଦାୟିକ ସଂଗଠନ ଓ ଗଣମାଧ୍ୟମର ବିତର୍କରେ ନିଆଁରେ ଘିଅ ଢାଳନ୍ତି। ଏହା ଦେଶର ‘ସର୍ବଧର୍ମ ସମଭାବ’କୁ କ୍ଷୁର୍ଣ୍ଣ କରୁଛି। ଏଭଳି ଶକ୍ତିକୁ ପଦାରେ ପକାଇବା ପାଇଁ ଆମକୁ ହାତ ମିଳାଇବାକୁ ପଡ଼ିବ ବୋଲି ଖଡଗେ କହିଛନ୍ତି।

Comments are closed.