ରାଉରକେଲା: ଖେଳ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ। ସୂଚନା ଅନୁସାରେ ପଡିଆରେ ଫୁଟବଲ ଖେଳ ଚାଲୁଥିଲା। ସେହି ସମୟରେ ଶହ ଶହ ଦର୍ଶକ ଖେଳ ଦେଖୁଥିଲେ। ଏହି ସମୟରେ ସେଠାରେ ହଠାତ୍ ବଜ୍ରାଘାତ ହୋଇଥିଲା।
ବଜ୍ରାଘାତ ଓ ବର୍ଷା ଯୋଗୁଁ ପଡ଼ିଆ ନିକଟ ଗଛ ତଳେ ଆଶ୍ରୟ ନେଇଥିଲେ ଏହି ତିନି ଯୁବକ। ଅନ୍ୟମାନେ କିଏ କେଉଁ ଆଡ଼େ ଚାଲି ଯାଇଥିଲେ। ଗଛ ମୂଳରେ ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଲା। ସେମାନେ ହେଲେ ଲାଠିକଟା ବ୍ଲକ ଅନ୍ତର୍ଗତ କର୍ଲାଖମଣର ବିଶାଳ ବିଲୁଙ୍ଗ, ମନ୍କୋର ଶାନ୍ତିପ୍ରକାଶ ଲାକ୍ରା ଓ ବଣାଇ ବ୍ଲକ ଅନ୍ତର୍ଗତ ନରହାଟିର ସୁନୀତ ଓରାମ।
ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ତିନି ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପଠାଯାଇଛି। ଏକକାଳୀନ ତିନି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପଟେ ବ୍ରାହ୍ମଣୀତରଙ୍କ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Comments are closed.