ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ୨ଟି ସ୍ଥାନରେ ଅତି ପ୍ରବଳ ଓ ୨୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସିନାପାଲି ଓ କରଞ୍ଜିଆରେ ୧୨୦ମିମି ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ସୂଚନା ଅନୁଯାୟୀ, ମୌସୁମୀ ସକ୍ରିୟ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୬.୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୮.୮ ମିମି ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି। ନୂଆପଡା ଜିଲ୍ଲାରେ ସର୍ବାଧିକ ହାରାହାରି ୫୭.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୭୫୯ ଅଧିକ ରହିଛି।
ଏଯାବତ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିମି ତୁଳନାରେ ୫୩% ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସେପ୍ଟେମ୍ବର ମାସର ବର୍ଷା ୨୩୫.୭ ମିମି ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି।
Comments are closed.