Latest Odisha News

BREAKING NEWS

ଶେଷରେ ଡେରାସ କେନାଲରୁ ହଟିଲା ଜବରଦଖଲ; ସ୍ଥିତି ଅନୁଧ୍ୟାନ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର:ଶେଷରେ ହଟିଲା କେନାଲ ଜବରଦଖଲ । ପାଣି ଯିବାକୁ ଫିଟିଲା ବାଟ । ଦୁଇ ବର୍ଷର ସଂଘର୍ଷର ହେଲା ଅନ୍ତ । ଚାଷୀଙ୍କୁ ମିଳିଲା ସେମାନଙ୍କର ହକ ।   ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହି ଖବର ସାମ୍ନାକୁ ଆସିବା ପରେ  ସାଂସଦ ଅପରାଜିତା ଷଡଙ୍ଗୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି । ସ୍ଥାନୀୟ ଚାଷୀଙ୍କ ଗହଣରେ ନଡିଆ ବାଡେଇ ବିଜୟ ଉତ୍ସବ ପାଳନ କରିଛନ୍ତି ।

ଡେରାସ ଅଞ୍ଚଳରେ ଶହ ଶହ ଏକର ଜମି ଦୀର୍ଘ ୨ ବର୍ଷ ଧରି ପଡିଆ ପଡିଥିଲା । ଏହି ଜମିକୁ ଜଳସେଚିତ କରୁଥିବା କେନାଲକୁ ଜବରଦଖଲ କରାଯାଇ ଏହାକୁ ପୋତି ଦିଆ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ । କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା କେନାଲକୁ ଅବରୋଧ କରିବା ସହ ସରକାରୀ ଜମି, ସ୍ଥାନୀୟ ଚାଷୀଙ୍କ ଜମି ଜବରଦଖଲ କରି ନେଇଥିବା ଅଭିଯୋଗ ହୋଇଥିଲା । ଯାହା ବି ହେଉ, କେନାଲରୁ ଜବରଦଖଲ ହଟାଇବା ନେଇ  ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।

ହେଲେ ତିନି ଦିନ ପରେ ବି କେନାଲରୁ ଜବରଦଖଲ ହଟି ନ ଥିଲା । ଏହାପରେ ସାଂସଦ ୨ୟ ରିମାଇଣ୍ଡର ବି ଦେଇଥିଲେ । ଶେଷରେ ଏହି କେନାଲରୁ ଜବରଦଖଲ ହଟିଛି ।  କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା  କେନାଲରୁ ଅବରୋଧ ହଟାଇବାକୁ ବାଧ୍ୟ ହୋଇଛନ୍ତି । ବିଭିନ୍ନ ମହଲରୁ ଚାପ ପଡିବା ପରେ ନିଜେ ଲୋକ ଲଗାଇ କେନଲା ଅବରୋଧ ହଟାଇଛନ୍ତି ।  ପରେ ଆଜି ସାଂସଦ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ନକ୍ସା ଦେଖି ମାପଚୁପ   କରିଥିବା ଦେଖିବାକୁ ମିଳିଛି ।

କେନାଲରୁ ମାଟି ହଟିବା ପରେ ଚାଷୀଙ୍କ ଜମିକୁ ପାଣି ଆସିବାର ସମ୍ଭାବନା ଦେଖା ଦେଇଛି । ଏହ ପରେ ସ୍ଥାନୀୟ ଚାଷୀଙ୍କ ମୁହଁରେ ହସ ଫେରିଛି  ।

Comments are closed.