Latest Odisha News

ବିଜେପି ସହିତ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରିଲା ଜୟଲଳିତାଙ୍କ ଦଳ ଏଆଇଏଡିଏମକେ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ଶାସକ ଦଳ ଏଆଇଏଡିଏମକେର ସୁପ୍ରିମୋ ଏ. କେ. ପଲାନିସ୍ୱାମୀ ବିଜେପି ସହ ମେଣ୍ଟ ଭାଙ୍ଗି ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସୋମବାର  ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମକର୍ତା ଓ ଜିଲ୍ଲା ସମ୍ପାଦକମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

2024 ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବିଭିନ୍ନ ରାଜନୈତିକ ଦଳକୁ ଏକାଠି କରିବାକୁ ପ୍ରୟାସ କରି ଏନଡିଏକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଦିବଂଗଚ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦଳ ଏଆଇଏମଡିଏମକେ ଏନଡିଏରୁ ଅଲଗା ହେବା କେନ୍ଦ୍ରର ଶାସକ ଦଳକୁ ଏକ ବଡ଼ ଝଟକା। କହିରଖୁଛୁ, ରାଜ୍ୟରେ ବିଜେପିର ବଢୁଥିବା ଭୋଟ୍ ବ୍ୟାଙ୍କ ଏବଂ ଗ୍ରହଣୀୟତା ପାଇଁ କିଛି ଦିନ ହେବ ଦୁଇ ଦଳ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥିବାର ନଜର ରହିଛି।

ଏଆଇଏମଡିଏମକେ ପକ୍ଷରୁ ଗୃହୀତ ପ୍ରସ୍ତାବରେ କୁହାଯାଇଛି ଯେ ବିଜେପି ରାଜ୍ୟ ନେତୃତ୍ୱ ଏଆଇଏଡିଏମକେ, ଏହାର ନେତା ଏବଂ ଏହାର ନୀତି ବିରୋଧରେ ଅପମାନଜନକ ବୟାନ ଦେଉଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଯେ ବିଜେପି ନେତୃତ୍ୱ ମଦୁରାଇରେ ଏଆଇଏଡିଏମକେର ଐତିହାସିକ ସମ୍ମିଳନୀକୁ ଅପମାନିତ କରିବା ସହ ପଲାନିସ୍ୱାମୀଙ୍କୁ ବଦନାମ କରିଛନ୍ତି।

ପ୍ରସ୍ତାବରେ କୁହାଯାଇଛି ଯେ ରାଜ୍ୟରେ ଏଆଇଏଡିଏମକେ ମେଣ୍ଟ କରି ନେତୃତ୍ୱ ନେବ ଏବଂ 2024ରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବ। ଏଆଇଏଡିଏମକେ ସହ ମେଣ୍ଟ ଭାଙ୍ଗିବା ନେଇ ବିଜେପି ରାଜ୍ୟ ସଭାପତି କେ. ଆନ୍ନାମାଲାଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଚଳିତ ପଦଯାତ୍ରାରେ ସେ ରାଜନୀତି କଥା କହିବେ ନାହିଁ ବୋଲି କହିବା ସହ ଦଳର ଜାତୀୟ ନେତୃତ୍ୱ ଉଚିତ ସମୟରେ ଏ ସମ୍ପର୍କରେ କହିବେ ବୋଲି କହିଛନ୍ତି।

ଏଆଇଏଡିଏମକେ ବିଜେପି ସହ ମେଣ୍ଟ ଭାଙ୍ଗିବା ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି। 2014 ମସିହାରୁ ଏହି ଦୁଇ ଦଳ ମେଣ୍ଟ ସରକାରରେ ସହଯୋଗୀ ଥିବା ବେଳେ ବିଜେପି ଏଆଇଏଡିଏମକେ ନେତୃତ୍ୱାଧୀନ ସରକାରରେ କନିଷ୍ଠ ସହଯୋଗୀ ଭାବେ ସାମିଲ ହୋଇଥିଲା। ଏହି ମେଣ୍ଟ ଭାଙ୍ଗିବା ଫଳରେ ତାମିଲନାଡୁରେ 2024ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ତେବେ ଦୁଇ ଦିନ ତଳେ ଏନଡିଏରେ ଆସି ସାମିଲ ହୋଇଛି କର୍ଣ୍ଣାଟକର ଜେଡିଏସ। ଯିଏକି ଏକଦା ରାଜ୍ୟରେ ବିଜେପି ବିରୋଧରେ କଂଗ୍ରେସ ସହ ଏକାଠି ହୋଇ ସରକାର ଗଢ଼ିଥିଲା।

Comments are closed.