Latest Odisha News

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ୪ର୍ଥ ଦିନରେ ସ୍ୱାଭାବିକ ଚାଲିବା ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ଆସିଥିଲା ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ । ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଶୂନ୍ୟକାଳରେ ପୂର୍ତ୍ତବିଭାଗ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତର  ପାଇଁ ସେ ଏହି ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତ୍ତି ଉପରେ ସେ ଏହି ପ୍ରସ୍ତାବ ଆଣିଥିଲେ ।

ମୋହନ ମାଝି କହିଥିଲେ, ବିରୋଧୀ ଦଳ ଭାବେ ବିବୃତ୍ତି ମାଗି ନ ଥିଲୁ । ମୁଖ୍ୟମନ୍ତ୍ରୀ ନିଜ ଆଡୁ ବିବୃତ୍ତି ରଖିଥିଲେ । ୫ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ସେ ଏହି ବିବୃତ୍ତି ରଖିଥିଲେ । ତେବେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଜନ ବିରୋଧୀ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।

ଅନ୍ୟପକ୍ଷେ ବିରୋଧୀ ଦଳ ନେତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିଓ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି, ଆଇନ ବହିର୍ଭୂତ କଥା ଆଧାରରେ କୌଣସି ସ୍ୱାଧୀକାର ଭଙ୍ଗ ଆଣିବା ଉଚିତ ନୁହେଁ । ବିରୋଧୀଙ୍କ ସ୍ୱାଧିକାର ଭଙ୍ଗର ଆଧାରକୁ ନେଇ ପ୍ରଶ୍ନ  ଉଠାଇବା ସହ ସଂସଦୀୟ ମନ୍ତ୍ରୀ କହିଛନ୍ତି,  ଗୃହର ନେତାଙ୍କ ବିରୁଦ୍ଧରେ ଏକ କଦର୍ଥ କଥା କହିଛନ୍ତି ବିରୋଧୀ ଦଳ ନେତା। ଯିଏ ଏହି ଗୃହର ନୁହନ୍ତି ତାଙ୍କ କଥା କେମିତି ଉଠାଇଲେ?’’ ଏହାକୁ ବାଦ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି  ।

Comments are closed.