ଭୁବନେଶ୍ୱର: ଅସୁରକ୍ଷିତ ହୋଇ ପଡୁଛି ରାତିର ରାଜଧାନୀ । ବାସହୀନ ଗରିବ ଲୋକମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଏ ରାଜରାସ୍ତା । ଗତକାଲି ରାତିର ଘଟଣା ଏମିତି ଏକ ଭାବନା ମନରେ ଭୟ ସୃଷ୍ଟି କରୁଛି ।
ରାତିର ରାଜଧାନୀ ଶୂନଶାନ ହୋଇପଡିଥିବାବେଳେ ରାଜମହଲ ଫୁଟପାଥରେ ଆଶ୍ରୟ ନେଇଥିଲେ ବାସହୀନ ଶ୍ରମିକ । ସମୟ ପ୍ରାୟ ରାତି ଗୋଟାଏରୁ ଗୋଟାଏ ୪୦ ମିନିଟ୍ ମଧ୍ୟରେ ହେବ । ରାଜମହଲର ଫୁଟପାଥରେ ସମସ୍ତେ ଶୋଇଯାଇଥିଲେ ନିଘୋଡ଼ ନିଦରେ ।
ଏଜି ଛକରୁ ରାଜମହଲ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ନାଲି କାର୍ ପ୍ରଥମେ ଏହି ଡିଭାଇଡରରେ ପିଟିହୋଇ ଚଢ଼ି ଯାଇଥିଲା ଫୁଟପାଥ୍ ଉପରେ । ଫଳରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରରେ ଚଢି ଯାଇଥିଲା କାର ।
ଶ୍ରମିକଙ୍କ ଉପରେ କାର ଚଢାଇ ଦ୍ରୁତ ଗତିରେ କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଡ୍ରାଇଭର ।ଆଉ ଶେଷରେ ଲିଙ୍ଗିପୁର ବାଙ୍କୁଆଳ ନଦୀବନ୍ଧରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିଲା ।
ଲୋକଙ୍କ ସୂଚନା ଆଧାରରେ ପୋଲିସ ସେହି କିଲର୍ କାରକୁ ଜବତ କରିଥିଲେ ହେଁ ଡ୍ରାଇଭରର ଏଯାଏଁ ପତ୍ତା ମିଳୁନି । ପୋଲିସ କାରକୁ ଧରି ଖୋଳତାଡ଼ କରୁଛି । ଆରଟିଓ ସୂଚନା ଅନୁସାରେ ଏହି କାରର ମାଲିକ ଭୁବନେଶ୍ୱର ପୋଖରୀପୁଟର ବିକାଶ ପାଲ୍ ବୋଲି ସୂଚନା ମିଳିଛି । କ୍ୟାପିଟାଲ୍ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ଼ ଜାରି ରଖିଛି ।
Comments are closed.