ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ: ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ସର୍ବୋପରି
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ଜନସମ୍ପର୍କ ପଦଯାତ୍ରାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଚାଲିଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଜନ ପ୍ରତାରଣା ଯାତ୍ରା କହିଲା ବିଜେପି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାଁନ୍ତି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି। ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି। ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିଜେପି ମଧ୍ୟ ପାଲଟା ଜବାବ ଦେଇଛି। ପୂର୍ବତନ ବିଜେପି ସଭାପତି ସମୀର ମାହାନ୍ତି କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ବିରୋଧୀମାନଙ୍କୁ ଜନବିରୋଧୀ କହି ଆକ୍ଷେପ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ।
ଶ୍ରୀ ମାହାନ୍ତି ଆହୁରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ଯେ, ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ, ଲୋକଙ୍କ ସେବା ହିଁ ସର୍ବୋପରି। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ିକୁ ୪୪.୮ ପ୍ରତିଶତ ଭୋଟ୍ ଦେଇଥିଲା ବେଳେ ବିରୋଧୀ ମାନଙ୍କୁ ଅନୁରୂପ ଭାବରେ ବିଜେଡି ସରକାର ବିରୋଧରେ ୪୯.୩ ପ୍ରତିଶତ ଭୋଟ୍ ଦେଇଥିଲେ।
ଓଡ଼ିଶାବାସୀ ବିଜେପିକୁ ଗତ ସାଧାରଣ ନିର୍ବାଚନରେ ୯୧ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି। ବିରୋଧୀ ଦଳର ଭୂମିକା ବିଜେପିକୁ ମିଳିଛି। ଆପଣଙ୍କ ଅହଙ୍କାର ଆଜି ଚରମ ସୀମାରେ । ଦିନେ ଶାସନରେ ରହିବାର ଅହଙ୍କାର ଦୁର୍ଯ୍ୟୋଧନ ଓ ରାବଣର ଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଉନ୍ନତି ଉପରେ ବିରୋଧୀ ବାଧା ସୃଷ୍ଟି କରୁଥିବା ନେଇ ଆପଣ ଯେଉଁ ଆରୋପ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ଆପଣ ଓ ଆପଣଙ୍କ ସରକାର ମଠ ମନ୍ଦିର ବିରୋଧୀ। ସୌନ୍ଦର୍ଯ୍ୟୀକରଣ ନାଁରେ ଆପଣ ହଜାର ହଜାର ବର୍ଷ ତଳର ମଠ, ମନ୍ଦିରକୁ ଭାଙ୍ଗି କେବଳ ଟାଇଲ ଓ ଗଛ ଲଗାଉଛନ୍ତି । ତାହାକୁ କହିବା କଣ ଭୁଲ ?
କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କେଉଁମାନେ ଷଡଯନ୍ତ୍ର କରିଥିଲେ ? ଓଡ଼ିଶାର ଓଡ଼ିଆ ଲୋକଙ୍କ ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନଖୋଲିବା ପାଇଁ ଆପଣ ମସୁଧା କରିଛନ୍ତି। ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନୀ ଧର୍ମକୁ ଗାଳି ଦେଇଥିଲେ ଓ ଧର୍ମକୁ ନମାନିବା ପାଇଁ କହିଥିଲେ, ସେହି ବ୍ୟକ୍ତିଙ୍କୁ ଓଡ଼ିଶା ଗସ୍ତ ସମୟରେ ଆପଣ ଯେଉଁଭଳି ଭାବେ ଅତିଥି ଚର୍ଚ୍ଚା କଲେ, ଏଥିରୁ ଜଣାପଡୁଛି ଆପଣ ସନାତନ ବିରୋଧୀ ନା ସପକ୍ଷବାଦୀ ? ପରମପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୂଜ୍ୟ ଗଜପତି ମହାରାଜା ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ନୀତିକାନ୍ତି ଘଟଣାରେ ଅନେକ ମୂଲ୍ୟବାନ ପରାମର୍ଶ ଦେଲା ପରେ ବି ଆପଣ କିମ୍ବା ଆପଣଙ୍କ ସରକାର ଏହି କଥାକୁ କେବେ କର୍ଣ୍ଣପାତ ନକରିବା ଦୁଃଖର ବିଷୟ ।
ରାଜ୍ୟରେ ସ୍କୁଲ ମାନଙ୍କରେ ରଙ୍ଗ ବୋଳିଲେ ଶିକ୍ଷାର ବିକାଶ ହୁଏ ନାହିଁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ସଂଗଠନର ଲକ୍ଷ ଲକ୍ଷ କର୍ମଚାରୀ ଆଜି ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଖରା, ବର୍ଷାରେ ନିଜ ପିଲା ଛୁଆଙ୍କୁ ଘରେ ଛାଡି ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହା ବାବଦରେ ଆପଣଙ୍କ ପାଖରେ କିଛି ଉତ୍ତର ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସମୀର ମାହାନ୍ତି।
ପ୍ରତିଦିନ ଗଣମାଧ୍ୟମରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହେଉଛି। କେଉଁ ଜାଗାରେ ଖଟିଆରେ ଗର୍ଭବତୀ ମହିଳାମାନେ ବୁହା ହେଉଛନ୍ତି ତ କେତେବେଳେ ଆପଣ ସ୍ୱପ୍ନ ଦେଖାଇଥିବା ବିଶ୍ୱସ୍ତରୀୟ କଟକ ବଡ ମେଡିକାଲରେ ଦୀର୍ଘ ୧୮ ଘଣ୍ଟା ଧରି ବିଜୁଳି କାଟ ହେବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ଅନୁମେୟ, ଆପଣ ଜନତାଙ୍କ ସ୍ୱାସ୍ଥ୍ୟସେବା ଦେବା ପାଇଁ କେତେ ଚିନ୍ତିତ ? ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଆପଣ ଲାଗୁ କରୁ ନାହାନ୍ତି କାହିଁକି ? ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ କେତେ ଅସୁବିଧା ହେଉଛନ୍ତି, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? ବିଜୁ ସ୍ୱାସ୍ଥ୍ୟ ଯୋଜନା କିଭଳି ଏବଂ କେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ଆପଣଙ୍କ ପାଖରେ ଖବର ଅଛି ତ ? ଲୋକଙ୍କ ସେବା ପରିବର୍ତ୍ତେ ଆପଣ ଲୋକଙ୍କୁ ଭ୍ରମିତ କରି ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମାହାନ୍ତି।
Comments are closed.