ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂ୍ର୍ବ ପ୍ରେମିକା ତଥା ବାନ୍ଧବୀ ସୋମାଲିକା ।
ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ ଛାଡ଼ିବିନି । ଅଭିଯୋଗ କରିବି ।କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ମୋର କଣ କିଛି ଇଜ୍ଜତ ନାହିଁ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ?’ ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଛନ୍ତି ସୋମାଲିକା ।
ସେ ଆହୁରି କହିଛନ୍ତି, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି । ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି । ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୋଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି ସପୋର୍ଟ ମିଳୁଛି । ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ। ଯାହା ବି ହେଉ, ୩୦ ଦିନ ଭିତରେ ନିଶ୍ଚିତ କଂପ୍ଲେନ କରିବି’ ବୋଲି କହିଛନ୍ତି ସୋମାଲିକା ।
ସୂଚନାଥାଉ କି, ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଧାୟକ ବିଜୟଶଙ୍କର । ପରେ ବିଜୟ ତାଙ୍କୁ ପ୍ରତାରଣା କରିଥିବା ନେଇ ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା । ଏହା ପରେ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିଲେ ବିଜୟ । ଏ ନେଇ ସୋମାଲିକା ଥାନାରେ ଏତଲା ବି ଦେଇଥିଲେ ।
ଏପଟେ ବିଜୟ କାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କର ଚେହେରା ମଧ୍ୟ ସାମ୍ନାକୁ ଆସିଛି । ମିଡିଆ ସୂଚନା ଅନୁଯାୟୀ, ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି ।
କୁହାଯାଉଛି, ପ୍ରତ୍ୟୁଷା ଏବଂ ବିଜୟ ସହପାଠୀ । ଉଭୟେ ବିବାହ କରିବା ପାଇଁ ଗତ ୨୧ ତାରିଖ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନର ଏକ ମାସ ପରେ ଅର୍ଥାତ ନୋଟିସ ଅବଧି ଶେଷ ହେବା ପରେ ଉଭୟେ ବିବାହ କରିପାରିବେ ।
ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରତ୍ୟୁଷାଙ୍କ ଘର କଟକରେ । ତେଣୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ତେବେ ପ୍ରତ୍ୟୁଷାଙ୍କ ସହ ବିଧାୟକ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି ।
ପ୍ରତ୍ୟୁଷା ପୂର୍ବରୁ ବିବାହିତା । ତାଙ୍କର ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।
Comments are closed.