ଜଗତସିଂହପୁର: ନଦୀରେ ଗାଧୋଇବା ହେଲା କାଳ। କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ୨୨ ବର୍ଷୀୟ ଯୁବକ ଚିନ୍ମୟ ପ୍ରଧାନ ନଖୋଜ ହୋଇ ଯାଇଥିଲେ । ତିନି ଦିନ ଧରି ଚାଲିଥିଲା ଖୋଜାଖୋଜି । ଆଶା ଆଶଙ୍କା ଭିତରେ ଥିଲେ ପରିବାର । ହେଲେ ଆଜି ସେ ସବୁର ଅନ୍ତ ଘଟିଛି । ନିଖୋଜ ଚିନ୍ମୟଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋପାଳପୁର ବଢ଼େଇ ସାହି ଅଞ୍ଚଳରେ। ଶବ ମିଳିବା ପରେ ଏକମାତ୍ର ପୁଅକୁ ହରାଇ ଘରେ ପଡିଛି କାନ୍ଦ ବୋବାଳି ।
ଏହି ଅଞ୍ଚଳର ମହେନ୍ଦ୍ର ପ୍ରଧାନଙ୍କ ଏକ ମାତ୍ର ୨୨ ବର୍ଷୀୟ ପୁଅ ଚିନ୍ମୟ । ନିଜ ଘରପାଖ କାଠଯୋଡି ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ହଠାତ ଗୋଡ଼ ଖସି ଯିବାରୁ ନଦୀ ଗର୍ଭକୁ ଚାଲି ଯାଇଥିଲେ।ଚିନ୍ମୟ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ଚିନ୍ମୟକୁ ନପାଇବାରୁ ଗତ ଦୁଇ ତାରଖ ଦିନ କଟକ ସଦର ଥାନାରେ ପୁଅ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ।
ଦୀର୍ଘ ତିନିଦିନ ପରେ ଆଜି ଏକ ମୃତ ଦେହ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେବୀ ନଦୀର ଆଳିପିଙ୍ଗଳ ବେଲବଣ ମଠ ନିକଟରେ ଭାସୁଥିବା ସ୍ଥାନୀୟ ଲୋକେ ଥାନାକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ନିଖୋଜ ଚିନ୍ମୟ ଙ୍କ ମୃତ ଦେହକୁ ଚିହ୍ନଟ କରିବା ପାଇଁ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ପହଞ୍ଚି ଚିନ୍ମୟଙ୍କୁ ଚିହ୍ନଟ କରିଥିଲେ।ନିଖୋଜ ପୁଅର ମୃତ ଦେହକୁ ଦେଖି ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।
Comments are closed.