ନବରଙ୍ଗପୁର: ପୁଅ ଝିଅ ଙ୍କୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ ସ୍ୱାମୀ – ସ୍ତ୍ରୀ ଦୁହେଁ ଦିନରାତି ଏକ କରିଦେଇଥିଲେ l କିନ୍ତୁ ଦଇବ ସାଜିଲା ଦାଉ । ଗତ ୬ ବର୍ଷ ତଳେ ଅଫେରା ରାଇଜକୁ ଚାଲିଗଲେ ବାପା । ସ୍ଵାମୀଙ୍କ ମୃତ୍ୟୁ ପରେ ମାଁ ପଦ୍ମିନୀ ପରିବାର ବୋଝ ସମ୍ଭାଳି ଥିଲେ l ତେବେ, ବିଧିର ବିଧାନ କିନ୍ତୁ ଅଲଗା ଥିଲା l କିଛି ଦିନ ତଳେ ମାଆ ପଦ୍ମିନୀ ତିନି ନିଷ୍ପାପ ଶିଶୁଙ୍କ ହାତ ଛାଡି ନୂଆ ସଂସାର ଗଢିବା ପାଇଁ ପର ପୁରୁଷ ପାଖକୁ ଚାଲିଗଲା । ଆଉ ଅନାଥ ତିନି ଶିଶୁ ଏବେ ଭୋକିଲା ପେଟରେ ବିତାଉଛନ୍ତି ଅଭିଶପ୍ତ ଜୀବନ l ୧୪ ବର୍ଷୀୟା ବଡ଼ ଭଉଣୀ ସୁମିତ୍ରା ଅନିଚ୍ଛା ସତ୍ୱେ ମଧ୍ୟ ନିଜ ପାଠ ପଢ଼ାରେ ଡୋରି ବାନ୍ଧି ଦୁଇ ଭାଇଙ୍କ ବୋଝକୁ କାନ୍ଧରେ ବହିଛି l ପାଖ ପୋଡିଶା ଯାହା ଦେଲେ ସେଥିରେ ପେଟ ପୁରୁଛି ନହେଲେ ଓଦା କନା ପକାଇ ଶୋଇବାକୁ ବାଧ୍ୟ ହେଉଛନ୍ତି ଏଇ ତିନି ଅନାଥ ଶିଶୁ l ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଚରାମୂଳା ଗ୍ରାମରୁ ଏଭଳି ଆସିଛି ଏଭଳି ଦୃଶ୍ୟ l

ଚରାମୂଳା ଗ୍ରାମର ସୁମିତ୍ରା ପୂଜାରୀ । ବୟସ ମାତ୍ର ୧୪ ବର୍ଷ । ଯେଉଁ ବୟସରେ ଖେଳ କୁଦ କରି ଜୀବନ ଅତିବାହିତ କରିବା କଥା ସେହି ବୟସରେ ଜୀବନ ଜଞ୍ଜାଳରେ ଛନ୍ଦି ହୋଇ ନିଜର ଦୁଇ ସାନ ଭାଇ (ହେମନ୍ତ ଓ ଯୁବରାଜ )ର ବୋଝ ମୁଣ୍ଡାଇଛି ସୁମିତ୍ରା l ଏପରିକି ଦୁଇ କୋମଳମତି ଭାଇଙ୍କ ଭବିଷ୍ୟତ ପାଇଁ ନିଜ ପାଠ ପଢ଼ାରେ ଡୋରି ବାନ୍ଧିଛି ସୁମିତ୍ରା l ସଂସାର କଣ ବୋଲି ଜାଣିନଥିବା ସୁମିତ୍ରା କିଭଳି ଦୁଇ ଭାଇଙ୍କୁ ପ୍ରତିପୋଷଣ କରିବ ତାକୁ ନେଇଁ ସର୍ବଦା ଚିନ୍ତିତ ରହିଛି, କେବଳ ପାଖ ପଡୋଶୀଙ୍କ ସହାନୁଭୂତିରେ ଚାଲିଛି ତିନି ଅନାଥ ଶିଶୁଙ୍କ ଜୀବନ।
ସାଧାରଣ ଦିନମଜୁରିଆ ପରିବାର ହୋଇଥିଲେ ମଧ୍ୟ ମା’ ଓ ବାପା ମୂଲ ମଜୁରୀ ଲାଗି ଦୁଇ ପୁଅ ଓ ଗୋଟିଏ ଝିଅ ମୁହଁରେ ହସ ଫୁଟାଇବା ସହ ଭବିଷ୍ୟତ ଗଢ଼ିବାକୁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ପ୍ରାୟ ୬ ବର୍ଷ ତଳେ ପରିବାରର ମୁଖ୍ୟ ତଥା ୩ ଶିଶୁଙ୍କ ପିତା ମେଘ ପୂଜାରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ୩ ଭାଇ ଭଉଣୀଙ୍କ ବୋଝ କାନ୍ଧକୁ ନେଇଥିଲେ ବିଧବା ମାଁ ପଦ୍ମିନୀ ପୂଜାରୀ l କିନ୍ତୁ, କିଛିଦିନ ତଳେ ପିଲାଙ୍କ ମୋହ ମାୟା ବନ୍ଧନ କାଟି ସେମାନଙ୍କୁ ଅଧା ବାଟରେ ଛାଡି ଅନ୍ୟ ଏକ ସଂସାର ଗଢ଼ିବାକୁ ଚାଲିଗଲେ ମା’ l ଫଳରେ ତିନି ଭାଇ-ଭଉଣୀ ଅନାଥ ହୋଇଯାଇଥିବା ବେଳେ ଏବେ ଭୋକିଲା ପେଟରେ ବିତାଉଛନ୍ତି ଅଭିଶପ୍ତ ଜୀବନ l

ଚରାମୁଲା ଗ୍ରାମବାସୀ ମାନେ ଏହି ତିନି ଶିଶୁଙ୍କ ବିକଳ ଅବସ୍ଥା ଦେଖି ଶିଶୁ ମାନଙ୍କ ଚଳିବା ପାଇଁ ଚାଉଳ, ଡାଲି, ତେଲ, ଲୁଣ ଓ ଆବଶ୍ୟକୀୟ ଯାବତୀୟ ସାମଗ୍ରୀ ଯୋଗାଇ ଦେବାସହ ତାଙ୍କ ଭଲମନ୍ଦ ବୁଝୁଛନ୍ତି । ଭଲ ପାଠ ପଢ଼ୁଥିବା ସୁମିତ୍ରା ବର୍ତ୍ତମାନ ପାଠରେ ଡୋରି ବାନ୍ଧି ଦୁଇ ଭାଇଙ୍କ ପେଟ ଭରିବାକୁ ଶ୍ରମିକ ଭାବେ କାମ କରୁଛି । ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଗ୍ରାମବାସୀ ପ୍ରଶାସନ ପକ୍ଷରୁ ଅନାଥ ଭାଇ ଭଉଣୀଙ୍କୁ ରହିବା, ଖାଇବା ସହ ପାଠ ପଢ଼ିବା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।
Comments are closed.