ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ୨ଟି ରନରେ ୩ଟି ୱିକେଟ ହରାଇଥିବା ଭାରତ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ମ୍ୟାଚରେ ବିଜୟ ହାସଲ କରିଥିଲା । ତେବେ ବିଶ୍ୱକପରେ ପ୍ରଥମ ମ୍ୟାଚରେ ବିଜୟ ଭାରତ ପାଇଁ କେତେ ଶୁଭ ଆସନ୍ତୁ ନଜର ପକାଇବା । ୧୩ଟି ବିଶ୍ୱକପରୁ ଭାରତ ୮ ଥର ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ବେଳେ ୫ଥର ହାରିଛି । ୧୯୭୫, ୧୯୭୯ରେ ପରାଜୟ ସହ ଅଭିଯାନ ଆରମ୍ଭ କରିବା ପରେ ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଅପରପକ୍ଷରେ କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଶେଷରେ ଚାମ୍ପିୟନ ହୋଇଥିଲା । ୨୦୧୧ରେ ମଧ୍ୟ ବାଂଲାଦେଶକୁ ପରାସ୍ତ କରି ଭାରତ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା । ଶେଷରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ।
ଘରୋଇ ପରିବେଶରେ ଏଥର ବିଶ୍ୱକପ ଖେଳା ଯାଉଥିବାରୁ ଭାରତର ଟାଇଟଲ ଆଶା ଉଜ୍ଜୀବୀତ ହୋଇଛି । ୧୯୮୭ରେ ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଶେଷରେ ସେମିଫାଇନାଲରୁ ବିଦାୟ ନେଇଥିଲା । ୧୯୯୨ରେ ଓପିନଂ ମ୍ୟାଚରେ ଇଂଲଣ୍ଡଠାରୁ ପରାଜିତ ହୋଇ ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ୧୯୯୬ରେ କେନିୟା ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା । ୧୯୯୯, ୨୦୦୭ରେ ମଧ୍ୟ ପରାଜୟରୁ ଆରମ୍ଭ କରି ଶେଷରେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ୨୦୦୩ରେ ପ୍ରଥମ ମୁକାବିଲାରେ ନେଦରଲାଣ୍ଡକୁ ହରାଇଥିବା ଭାରତ ରନର୍ସଅପ ହୋଇଥିଲା । ୨୦୧୧ରେ ଚାମ୍ପିୟନ, ୨୦୧୫ ଓ ୨୦୧୯ରେ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ସବୁ ସମୀକରଣ ବିଚାରକୁ ନେଲେ ଘରୋଇ ପରିବେଶରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଚାମ୍ପିୟନ ହେବାର ଆଶା ସୃଷ୍ଟି କରିଛି ।
Comments are closed.