Latest Odisha News

ଇନ୍ଦିରା ଏକାଦଶୀ: ଏହି ଦିନ ଶାଳଗ୍ରାମ ପୂଜା ଓ ବ୍ରତ କଲେ ସନ୍ତୁଷ୍ଟ ହୁଅନ୍ତି ପିତୃପୁରୁଷ

ଭୁବନେଶ୍ଵର: ଚଳିତ ବର୍ଷ ଅକ୍ଟୋବର ୧୦ତାରିଖରେ ପଡୁଛି ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦାଶି | ପିତୃପକ୍ଷ ହେତୁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରିବା ସହ ଦିନସାରା ଉପବାସ କରିବାର ବିଧି ରହିଛି । ଏହି ଉପାୟରେ ପୂଜା ଏବଂ ଉପବାସ କଲେ ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି |

ଏହି ଏକାଦଶୀ ଦିନ ଘରେ ଅଁଳା, ତୁଲସୀ, ଅଶୋକ, ଚନ୍ଦନ କିମ୍ବା ପିପଳି ଗଛ ଲଗାଇବା ଦ୍ଵାରା ଭଗବାନ ବିଷ୍ଣୁ ଓ ପିତୃପୁରୁଷମାନେ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି | ଏଥି ସହିତ ଉପନିଷଦରେ ମଧ୍ୟ କୁହାଯାଇଛି ଯେ ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ।  ଯଦି କୌଣସି ପିତୃପୁରୁଷ ନିଜ ଜଣାତରେ ହେଉ କିମ୍ବା ଅଜାଣତରେ କରିଥିବା କୌଣସି ପାପ କାରଣରୁ ଯମରାଜଙ୍କ ଦ୍ୱାରା ଦଣ୍ଡ ଭୋଗୁଛନ୍ତି, ତେବେ ରୀତିନୀତି ଅନୁଯାୟୀ ଇନ୍ଦିରା ଏକାଦାଶିରେ ଉପବାସ କଲେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଥାଏ ।

ଏହି ଦିନ ତର୍ପଣ, ପିଣ୍ଡ ଦାନ ଓ ବ୍ରାହ୍ମଣ ମାନଙ୍କୁ ଖାଦ୍ୟ ଦାନ କରିବା ଦ୍ଵାରା ମୃତ ଆତ୍ମାମାନେ ମୋକ୍ଷ ପ୍ରାପ୍ତି କରିଥାନ୍ତି | ତେଣୁ ଇନ୍ଦିରା ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ଉପାସନା କରିବା ସହ ଉପବାସ, ଦାନ ଧାର୍ମ କରିବା ଉଚିତ୍। ତା ସହ ପୂର୍ବପୁରୁଷଙ୍କୁ ଏହି ସବୁର ପୁଣ୍ୟ ମିଳୁ ବୋଲି ପାର୍ଥନା କରିବା ଉଚିତ୍ ।

ଇନ୍ଦରା ଏକାଦଶୀ ବ୍ରତ କଥା

ପୌରାଣିକ କଥାନୁସାରେ, ସତ୍ୟଯୁଗରେ ମହିଷ୍ମତୀ ନାମରେ ଏକ ନଗର ଥିଲା । ଏହି ନଗର ରାଜା ଥିଲେ ଇନ୍ଦ୍ରସେନ । ରାଜା ଇନ୍ଦ୍ରସେନ ପ୍ରବଳ ପ୍ରତାପୀ ଓ ପ୍ରଜାମାନଙ୍କୁ ନିଜର ସନ୍ତାନ ଭାବେ ପାଳନ କରୁଥିଲେ । ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ ଥିଲେ । ତେଣୁ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ । ତାଙ୍କର କୌଣସି ଅଭାବ ନଥିଲା । ସେ ଭଗବାନ ବିଷ୍ଣୁଙ୍କ ବଡ଼ ଉପାସକ ଥିଲେ । ଏକଦା ଇନ୍ଦ୍ରସେନଙ୍କ ରାଜସଭାକୁ ନାରଦ ମୁନି ଆଗମନ କଲେ । ନାରଦ ସେଠାରେ ଇନ୍ଦ୍ରସେନ ପିତାଙ୍କ ବାର୍ତ୍ତା ନେଇ ପହଞ୍ôଚଲେ । ପୂର୍ବଜନ୍ମର କୌଣସି ଖରାପ କର୍ମ ପାଇଁ ସେ ଯମଲୋକରେ ହିଁ ଅଛନ୍ତି । ତାଙ୍କର ମୁକ୍ତି ହୋଇନାହିଁ । ତାଙ୍କର ମୋକ୍ଷ ପ୍ରାପ୍ତି ପାଇଁ ଇନ୍ଦ୍ରସେନଙ୍କୁ ଇନ୍ଦିରା ଏକାଦଶୀ ବ୍ରତ ପାଳନ କରିବାକୁ ହେବ ।

ପିତାଙ୍କର ଏହି ବାର୍ତ୍ତା ଶୁଣି ଇନ୍ଦ୍ରସେନ ନାରଦଙ୍କ ଠାରୁ ଏହି ଏକାଦଶୀ ବ୍ରତ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କଲେ । ବ୍ରତ କଥାଶୁଣି ରାଜା ଇନ୍ଦ୍ରସେନ ଏହି ଏକାଦଶୀ ପାଳନ କଲେ ଏବଂ ବ୍ରତର ପୁଣ୍ୟଫଳ ପିତୃପୁରୁଷଙ୍କୁ ଅର୍ପଣ କଲେ । ଏହି ଏକାଦଶୀ ବ୍ରତ ପ୍ରଭାବରେ ତାଙ୍କ ପିତାଙ୍କୁ ମୋକ୍ଷ ମିଳିବା ସହ ସେ ବୈକୁଣ୍ଠ ଗମନ କଲେ । ଇନ୍ଦିରା ଏକାଦଶୀର ପୁଣ୍ୟ ପ୍ରଭାବରୁ ମୃତ୍ୟୁପରେ ଇନ୍ଦ୍ରସେନଙ୍କୁ ମଧ୍ୟ ବୈକୁଣ୍ଠ ପ୍ରାପ୍ତି ହୋଇଥିଲା ।

 

Comments are closed.