ଭୁବନେଶ୍ୱର: ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜ୍ଞାପନଟି ଥିଲା ଏକ ଶ୍ରଦ୍ଧାଞ୍ଜଳି । ସାଧାରଣତଃ ଖବରକାଗଜର ପ୍ରଥମ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଖୁବ କମ ଦେଖିବାକୁ ମିଳିଥାଏ । ହେଲେ ଏ ଶ୍ରଦ୍ଧାଞ୍ଜଳି କୌଣସି ବିଶିଷ୍ଟ ଶିଳ୍ପପତି, ରାଜନେତା ବା ଅଭିନେତାଙ୍କ ପାଇଁ ନ ଥିଲା । ଏହା ଥିଲା ଗୁଲୁ ପାପା ପାଇଁ । ସମସ୍ତଙ୍କର ଅତି ଆପଣାର, ଅତି ଗେହ୍ଲା ଗୁଲୁ ପାପା । ଘରର ପୋଷା କୁକୁର । ଯାହାକୁ ଘଡିଏ ନ ଦେଖିଲେ କାହାରି ମନ ବୁଝେନା ସେଇ ଗୁଲୁ ପାପା ଆଜି ସମସ୍ତଙ୍କୁ ଛାଡି ଚାଲି ଯାଇଛି । ସାରା ପରିବାରରେ ଖେଳି ଯାଇଛି ଶୋକର ଲହରୀ । ସମସ୍ତେ ଝୁରୁଛନ୍ତି ତାକୁ । ତା ପାଇଁ ବାହାରିଥିଲା ଶ୍ରଦ୍ଧାଞ୍ଜଳି ।
ହୁଏତ ଏସବୁ ଶୁଣି ଆପଣ ଭାବୁଥିବେ ଘରେ ପୋଷା ଜନ୍ତୁଟିଏ ମରିଗଲେ ସମସ୍ତଙ୍କ ମନ ଦୁଃଖ ହୁଏ । ଏଥିରେ କ’ଣ ବା ନୂତନତା ଅଛି ? ଠିକ କଥା । ପୋଷା ଜୀବଜନ୍ତୁଙ୍କୁ ସମସ୍ତେ ଶ୍ରଦ୍ଧାର ସହ ପାଳିଥାଏ । ସେ ଚାଲିଗଲେ ସମସ୍ତେ ତା ପାଇଁ ମନଦୁଃଖ କରନ୍ତି । ପୋଷା ଜୀବଜନ୍ତୁଙ୍କ ସହ ସମ୍ପର୍କ ଟିକେ ନିଆରା । ହେଲେ ଗୁଲୁ ସହ ସମ୍ପର୍କ ଖାଲି ନିଆରା ନୁହେଁ, ଏଠି ମାଲକ-କୁକୁର ଭିତରେ ଭାବର ଗଭୀରତା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗୁଲୁକୁ ହରାଇ ମାଲିକ ଏବଂ ଘରର ସବୁ ସଦସ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । କାରଣ ସେ ତାଙ୍କ ଘରର ଖାଲି ପୋଷା କୁକୁର ନ ଥିଲା । ସେ ଥିଲା ଯେମିତି ଜଣେ ସଦସ୍ୟ। ଘରୁ କିଏ କୁଆଡେ ଗଲେ ଚାହିଁ ବସିଥିବ ଗୁଲୁ । ଘରକୁ ଫେରିଲେ ଛୋଟ ପିଲାପରି ଉପରେ ଚଢିଯିବ । ତାଙ୍କୁ କୁଣ୍ଢେଇ ପକେଇବ । ସେ ସବୁ କଥାକୁ ଝୁରି ହେଉଛନ୍ତି ସାରା ପରିବାର ।
ଖୋର୍ଦ୍ଧା ଗାନ୍ଧି ପଡିଆ ନିକଟରେ ରୁହନ୍ତି ବାସନ୍ତୀ ମହାପାତ୍ର । ୧୩ ବର୍ଷ ତଳେ ସେ ଟଙ୍କପାଣି ରୋଡରେ ରହୁଥିବା ଜନୈକ ଦାସ ବାବୁଙ୍କ ଘରୁ ଗୁଲୁକୁ ଆଣିଥିଲେ । ବାସ ! ସେହିଦିନଠାରୁ ଗୁଲୁ ଥିଲା ବାସନ୍ତୀଙ୍କ ପରିବାରର ଏକ ଅତି ଗେହ୍ଲା ସଦସ୍ୟ । ଧୋବ ଫରଫର ଶରୀର । ଚିକ ଚିକ ଚାହାଣୀରେ ସମସ୍ତଙ୍କ ମନ କିଣି ନେଉଥିଲା ।
ତାର ହସ, ଖେଳକୁଦ, ରାଗରୁଷା ଭିତରେ ୧୩ ବର୍ଷ ବିତିଗଲାଣି ।ସମସ୍ତଙ୍କ ହୃଦୟରେ ଗୁଲୁ ପାଇଁ ସ୍ୱତନ୍ତ୍ର ଜାଗା । କୁକୁର ନୁହେଁ ତ ଘରର ସାନ ପୁଅ । ଆଜି ତାର ମୃ୍ତ୍ୟୁ ପରେ ମଣିଷଙ୍କ ପରି ତାକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପରିବାର ଲୋକେ । ଗୁଲୁର କୁକୁର ବେକରେ ଫୁଲମାଳ ପକାଇ ତାକୁ ଏକ ଗାତ ଖୋଳି ପୋତିଛନ୍ତି ।
ଆଜି ଗୁଲୁ ମୃତ୍ୟୁର ସପ୍ତମ ଦିନ । ଗୁଲୁ ପାଇଁ ଏକ ଖବରକାଗଜରେ ପ୍ରଥମ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ବାହାରିଛି । ପରିବାର ଲୋକେ ଏକ ସୁନ୍ଦର କବିତା ଲେଖି ଗୁଲୁ ପ୍ରତି ସେମାନଙ୍କର ସ୍ନେହ, ଶ୍ରଦ୍ଧା ଜଣାଇବା ସହ ତାର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେତିକି ନୁହେଁ, ତାର ଶେଷକୃତ୍ୟ ବିଧି ଅନୁଯାୟୀ କରାଯାଇଛି । ଘରର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧିଛନ୍ତି । ତାର ଅମର ଆତ୍ମାର ସଦଗତି ପାଇଁ ପୂଜାପାଠ କରିବା ସହ ୨୦୦ ବ୍ରାହ୍ମଣ ଭୋଜନ ଦେଇଛନ୍ତି । ଏଥିସହ ୭୦୦ ବନ୍ଧୁ, ଶୁଭେଚ୍ଛୁଙ୍କ ପାଇଁ ଖାଇବାକୁ ଦେଇ ଗୁଲୁ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାସନ୍ତୀ ଓ ତାଙ୍କ ପରିବାର ଲୋକେ ।
Comments are closed.