Latest Odisha News

BREAKING NEWS

ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ,ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଜେପି ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ଆଉ କିଛି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲାଣି।

କିନ୍ତୁ ଏ ଯାଏ କୌଣସି ବି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବ ବୋଲି କିଛି ଓପିନିଅନ ପୋଲ ଦର୍ଶାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ କରୁଛି ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ମଧ୍ୟପ୍ରଦେଶରେ ବିଜେପି ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏହି ପର୍ଯ୍ୟାୟରେ ଦଳ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବୁଧନୀ ବିଧାନସଭା ସିଟରୁ ପ୍ରାର୍ଥୀ କରିଛି। ଏମପିର ୨୩୦ ସିଟ ମଧ୍ୟରୁ ବିଜେପି ଏଯାଏ ୧୩୩ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳ ବିଧାନସଭା ନିର୍ବାଚନ ଲଢାଇବ ବୋଲି କୁହାଯାଉଥିଲେ ମଧ୍ୟ ଏ ଯାଏ ତାଙ୍କ ନାଁ ଘୋଷଣା ହୋଇନାହିଁ। ଏମପିର କ୍ରୀଡା ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆଙ୍କ ସିଟ ଶିବପୁରୀରେ ସେ ନିର୍ବାଚନ ଲଢ଼ିପାରନ୍ତି।

ସେପଟେ ଏମପିରେ ଖୁବ ଶୀଘ୍ର କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଆସିବ ବୋଲି ପିସିସି ସଭାପତି କମଳନାଥ କହିଛନ୍ତି। ବିଜେପି ଟିକେଟ ଘୋଷଣା ପରେ ଦଳରେ ଅସନ୍ତୋଷ ବଢୁଥିବା ବେଳେ ବହୁ ନେତା ଦଳ ଛାଡୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି।

ରାଜସ୍ଥାନରେ ମଧ୍ୟ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି। ତେଣୁ ଶାସକ କଂଗ୍ରେସର ଟିକେଟ ଘୋଷଣା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗତକାଲି ଅର୍ଥାତ ମଙ୍ଗଳବାର ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି।

ସୋନିଆଙ୍କ ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ନେଇ ଗେହଲଟ ଆଲୋଚନା କରିଥିବା କୁହାଯାଉଛି। ତେଣୁ ଖୁବ ଶୀଘ୍ର ରାଜସ୍ଥାନରେ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସର ଅନ୍ତରୀଣ ସର୍ଭେ ଅନୁଯାୟୀ ରାଜସ୍ଥାନରେ ୫୦ ପ୍ରତିଶତ ବିଧାୟକଙ୍କ ଟିକେଟ କାଟିବାକୁ କଂଗ୍ରେସ ରଣନୀତିକାର ମତ ରଖିଛନ୍ତି। କିନ୍ତୁ ଗେହଲଟ ଏହାକୁ ଗ୍ରହଣ କରୁ ନ ଥିବା କୁହାଯାଉଛି। ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି ବୋଲି ଆଲୋଚନା ହେଉଛି।

ସେପଟେ ଛତିଶଗଡ଼ରେ ପ୍ରାର୍ଥୀ ଚୟନ ପାଇଁ ଚୂଡାନ୍ତ ମୋହରକୁ ଅପେକ୍ଷା ରହିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବା ସହ ଏହି ତାଲିକାରେ ମୋହର ଲଗାଇବ ବୋଲି ଛତିଶଗଡ଼ କଂଗ୍ରେସ ପ୍ରଭାରୀ କୁମାରୀ ଶୈଳଜା କହିଛନ୍ତି।

ଛତିଶଗଡ଼ରେ ବିଜେପି ୧୧ ଜଣ ବିଧାୟକଙ୍କ ସମେତ ପୂର୍ବ ନିର୍ବାଚନରେ ହାରିଥିବା ୧୩ ଜଣ ନେତାଙ୍କୁ ପ୍ରାର୍ଥୀ କରିଛି। ଛତିଶଗଡ଼ରେ ବିଜେପି ଦୁଇଟି ପର୍ଯ୍ୟାୟରେ ୯୦ ଟି ବିଧାନସଭା ସିଟ ମଧ୍ୟରୁ ୮୫ ଟି ରେ ପ୍ରାର୍ଥୀ ଘୋଷଣା କରିସାରିଛି।

ତେଣୁ କଂଗ୍ରେସ ତାଲିକା ଉପରେ ରାଜନୈତିକ ମହଲର ନଜର ରହିଛି। ସେହିଭଳି ତେଲେଙ୍ଗାନାରେ ଶାସକ ବିଆରଏସ ବହୁ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଅନ୍ୟ ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ଉପରେ ନଜର ରହିଛି।

କଂଗ୍ରେସ ଓ ବିଜେପି ସେଠାରେ ବିଆରଏସକୁ କଡା ଟକ୍କର ଦେବାକୁ ସବୁ ଉଦ୍ୟମ କରୁଥିବାବେଳେ ପ୍ରାର୍ଥୀ ତାଲିକାରେ କେଉଁ ଚେହେରା ଦେଖିବାକୁ ମିଳିବ ତାକୁ ନେଇ ଆଲୋଚନା ହେଉଛି।

ଦେଶର ପାଞ୍ଚୋଟି ରାଜ୍ୟରେ ନଭେମ୍ବର ୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ହେବ। ଡିସେମ୍ବର ତିନି ତାରିଖରେ ଭୋଟ ଗଣତି ହେବ। ତେଣୁ ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଏହି ମହାଲଢେଇକୁ ସେମିଫାଇନାଲ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଓ ବିଜେପି ପାଇଁ ଏହି ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Comments are closed.