ଭୁବନେଶ୍ୱର: ସରକାରୀ ଛୁଟି ଦିନରେ ଡାକ୍ତରମାନେ କାମ କଲେ ସେମାନଙ୍କୁ ଅନ୍ୟ ଦିନରେ ଛୁଟି ଅନୁମତି ଦେବା ପାଇଁ ଓଡ଼ିଶା ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଲୋକଙ୍କୁ ଉପଯୁକ୍ତ ଓ ସୁରୁଖୁରୁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଓଡ଼ିଶା ମେଡିକାଲ ଆଣ୍ଡ ହେଲ୍ଥ ସର୍ଭିସ (ଓଏମଏଚଏସ) କ୍ୟାଡରର ସମସ୍ତ ମେଡିକାଲ ଅଫିସରମାନେ ସରକାରୀ ଛୁଟି ଦିନରେ କାମ କରିବା ପାଇଁ ସେହି ମାସରେ ସମାନ ସଂଖ୍ୟକ ବିକଳ୍ପ ଛୁଟି ଦିନର ସୁବିଧା ପାଇପାରିବେ କିନ୍ତୁ ଡାକ୍ତରଖାନାରେ ମାନବ ସମ୍ବଳର ଉପଲବ୍ଧତାକୁ ଆଖି ଆଗରେ ରଖାଯାଇ ନିଷ୍ପତ୍ତି ନିଆଯିବ।
ସେହି ମାସରେ ମାନବ ସମ୍ବଳର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପାଇଁ ବିକଳ୍ପ ଛୁଟି ଦିନ ସଂଖ୍ୟା ନିର୍ଦ୍ଧାରଣ କରିବାର ଅଧିକାର ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ କିମ୍ବା ଭାରପ୍ରାପ୍ତ ମେଡିକାଲ ଅଫିସରଙ୍କୁ ରହିବ। ଆବଶ୍ୟକ କର୍ମଚାରୀ ନ ମିଳିଲେ ହସ୍ପିଟାଲ ମୁଖ୍ୟମାନେ ଅନ୍ୟ ଛୁଟି ଦିନ ସଂଖ୍ୟା ହ୍ରାସ କରିପାରନ୍ତି।
ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ଥିଲେ ଆୟୁଷ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଛୁ଼ଟି ଦିନ ଭାବେ ଅନୁମତି ଦେବେ। ତେବେ ବିକଳ୍ପ ଛଟି ଦିନକୁ ସିଏଲ, ଏବଂ ଇଏଲ ସହିତ ମିଶାଇ ଦିଆଯିବ ନାହିଁ ଏବଂ ଗୋଟିଏ ମାସର ଶେଷ ସପ୍ତାହରେ ସରକାରୀ ଛୁଟି ଦିନ ବ୍ୟତିତ ପରବର୍ତ୍ତୀ ମାସକୁ ନେଇପାରିବେ ନାହିଁ।
Comments are closed.