ଧ୍ରୁବପଥର ସନ୍ଧାନରେ
ଦୀପ୍ତିମୟୀ ବିଶ୍ୱାଳ
କେତେ ଜୀବନର ପଥଶ୍ରମ
ବାଟ କଢାଏ ମୋକ୍ଷ ଆଡ଼କୁ
କହିପାରିବ ପଥଚାରୀ !
ଜନନୀ ଜଠରରେ
ବାରମ୍ବାର ଶାୟିତ ହେଲାପରେ ବି
ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି !
ଗମ୍ଭିରାରୁ ଗୋଡ଼ କାଢିଲେ
ଦୃଶ୍ୟହୁଏ ମେଘନାଦର ଆରପାଖ ।
ରାସ୍ତାର ଶେଷମୁଣ୍ଡ ଖୋଜିବାକୁ
ବାହାରି ପଡେ ସିଦ୍ଧାର୍ଥ ।
ସବୁ କପାଳରେ
ସୁଜାତାର ହାତ ପରଶା ଖିରି
ନଥାଏ ପଥଚାରୀ,
ସବୁ ଅଶ୍ୱତ୍ଥ ବୁଦ୍ଧତ୍ୱ ଦିଏନା ।
କାମନାର ରକ୍ତନଦୀରେ
ବୁଡ଼ ପାରିଲେ ଦୁଃଖ,
ଏଇ କଥା ପଦକ
ନିଜକୁ ଇ ବୁଝେଇ ହୁଏନା ।
ବୁଝିଗଲେ ରତ୍ନାକର ବାଲ୍ମୀକି,
ଧୃତରାଷ୍ଟ୍ର ଚକ୍ଷୁଷ୍ମାନ ।
ପଥ ଏକ ପ୍ରହେଳିକା ,
ଯାହା ପଛରେ ଛାଡି ଆସିଲ
କିମ୍ବା ଯାହା ଆଗକୁ ଅଛି…
ସବୁ ଝାପ୍ସା ଝାପ୍ସା ଅନ୍ଧାର ।
ଅନ୍ଧାର ଛାତିରେ ପାଦରଖି
ଚାଲିପାରିବ ତ ସୂର୍ଯ୍ୟ ତୁମର,
ସୂର୍ଯ୍ୟ-ଲୋକ ତୁମର ।
ପଥ କଣ୍ଟକମୟ କି କୁସୁମିତ
ନିଘା କରି କି ଲାଭ !
ହରିନାମକୁ ଭେଳା କରି
ଗଉଡୁଣୀ ଝିଅ ପାର ହେଇଯାଏ ଭରା ନଈ,
ଅବଧାନେ ବୁଡି ମରନ୍ତି ଆଣ୍ଠୁଏ ପାଣିରେ ।
କହିବ ତ ପଥିକ….
କେଉଁ ପଥ ମୋକ୍ଷ ଆଡକୁ !
ରାସ୍ତାଟିଏ ଆପଣାଛାଏଁ ଖୋଲିଯାଏ
ଗୁଣ୍ଡୁଚିର ପାଗଳାମୀରେ,
ଅଙ୍ଗୁରୀୟମାଳର ଅନୁଶୋଚନାରେ,
ପିଙ୍ଗଳାର ପ୍ରଜ୍ଞାରେ,
ଏକ ମହାର୍ଘ ମୁହୂର୍ତ୍ତରେ ।
ଯାଅ….ଆଗେଇଯାଅ ପଥିକ ….
ଧ୍ରୁବ ପଥ ଏବେ ତୁମରି ଅପେକ୍ଷାରେ ।
Comments are closed.