Latest Odisha News

BREAKING NEWS

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି ।

ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମପାସ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହା ସକାଶେ ମନୋନୀତ ହୋଇଛନ୍ତି । ଲେଖକ ଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପି ପ୍ରକାଶନ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ ।

ଏଥିସହିତ ଛଅ ଜଣଙ୍କୁ ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଗଳ୍ପ ସଂକଳନ ‘କାଠ’ ପାଇଁ ଅମୀୟ ବେଜ୍‍ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ; କବିତା ସଂକଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସଂପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ; ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏତଦ୍‍ ବ୍ୟତୀତ ବହି ସହ ଗଭୀର ସଂପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପାଉଛନ୍ତି ପୁସ୍ତକପ୍ରିୟ ତାପସ ରାଉତ ।

ଆଗାମୀ ଅକ୍ଟୋବର ୨୦ ତାରିଖରେ ଟାଇମପାସ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦିବସବ୍ୟାପି ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଶା ତଥା ରାଜ୍ୟ ବାହାରର ଯଶସ୍ୱୀ ଲେଖକଗଣ ଅତିଥି ଭାବେ ଯୋଗଦେଉଛନ୍ତି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ୍‍ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.