Latest Odisha News

୪୦ ସେକେଣ୍ଡରେ ରୋକିହେବ ଆତ୍ମହତ୍ୟା: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ବରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯେଉଁଥିପାଇଁ ପ୍ରତିବର୍ଷ କେବଳ ଆତ୍ମହତ୍ୟା ଯୋଗୁଁ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଆତ୍ମହତ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏହା ମୃତ୍ୟୁର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଉଭା ହେଉଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଅନୁଯାୟୀ ଏହି ଆତ୍ମହତ୍ୟା ବହୁ ପରିମାଣରେ ହ୍ରାସ କରାଯାଇପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୱାର୍ଲ୍ଡ ଫେଡେରେସନ୍ ଫର ମେଣ୍ଟାଲ ହେଲଥ ଓ ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଫର ସୁଇସାଇଡ ପ୍ରିଭେନସନ ଆଣ୍ଡ ୟୁନାଇଟେଡ ଫର ଗ୍ଲୋବାଲ ମେଣ୍ଟାଲ ହେଲଥ ସହିତ ମିଶି ୪୦ ସେକେଣ୍ଡ ଅଫ ଆକ୍ସନ ଅଭିଯାନ ଆରମ୍ଭ କରାଯାଇଛି ।

ଏ ବାବଦରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ମନୋବିଜ୍ଞାନ ବିଭାଗର ପ୍ରଫେସର ନନ୍ଦ କୁମାର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଯାଉଛନ୍ତି କିମ୍ବା ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି କିମ୍ବା ତାଙ୍କ ଜୀବନରେ ସଂଘର୍ଷ କରୁଛନ୍ତି, ତେବେ ତାଙ୍କୁ ସାହାଯ୍ୟ କରନ୍ତୁ । ତାଙ୍କ ସହ ୪୦ ସେକେଣ୍ଡ ବିତାଇଲେ ସେ ଆତ୍ମହତ୍ୟା ଠାରୁ ଦୂରେଇ ଯାଇପାରନ୍ତି । ଏହି ୪୦ ସେକେଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପ୍ରଫେସର ନନ୍ଦ ଆହୁରି କହିଛନ୍ତି ଯେ, ଡବ୍ଲୁଏଚଓ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ଯାହା ଆତ୍ମହତ୍ୟାକୁ ହ୍ରାସ କରିବା ପାଇଁ ବ୍ୟବହାର କରାଯାଇପାରିବ।

ଯଦି ତୁମେ ଆତ୍ମହତ୍ୟା କଥା ଚିନ୍ତା କରୁଛ କିମ୍ବା ତୁମ ଜୀବନରେ ବହୁ ଖରାପ ପରିସ୍ଥିତି ଦେଇ ଗତି କରୁଛ, ତେବେ ତୁମେ ଯାହାକୁ ଅଧିକ ବିଶ୍ୱାସ କରୁଛ ଉକ୍ତ ବ୍ୟକ୍ତିଙ୍କ ସହ କଥା ହେବା ଉଚିତ ଏବଂ ତୁମର ଭାବନାକୁ ତାଙ୍କ ଆଗରେ ପ୍ରକାଶ କରିବା ଉଚିତ।

ଆପଣ ଯଦି ଏମିତି ବ୍ୟକ୍ତିଙ୍କୁ ଜାଣିଛନ୍ତି ଯାହାର କେହି ନିଜ ଲୋକ ଆତ୍ମହତ୍ୟା କରିଛନ୍ତି, ତେବେ ତାଙ୍କ ସହିତ ୪୦ ସେକେଣ୍ଡ କଥା ହୁଅନ୍ତୁ ଏବଂ ସେ କିପରି ଅଛନ୍ତି ବୋଲି ପଚାରନ୍ତୁ।

ଆପଣ ମିଡିଆ କିମ୍ବା ଆର୍ଟରେ ଯଦି କାମ କରୁଥାନ୍ତି, ତେବେ ୪୦-୪୦ ସେକେଣ୍ଡ ଭିଡିଓ କ୍ଲିପ୍ ଏବଂ ଆର୍ଟ ଡିଜାଇନ ତଥ୍ୟକୁ ଯଥାସମ୍ଭବ ଲୋକଙ୍କ ପାଇଁ ଉପଲବ୍ଧ କରନ୍ତୁ ।

ଯଦି ବୃହତ୍ତ ସଂଖ୍ୟାରେ ଲୋକଙ୍କ ପାଖରେ ଆପଣଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ଅଛି, ତେବେ ନିଶ୍ଚିତ ଭାବରେ ଏହା ମାଧ୍ୟମରେ ୪୦ ସେକେଣ୍ଡର ବାର୍ତ୍ତା ପଠାନ୍ତୁ ।

Comments are closed.