ନୂଆଦିଲ୍ଲୀ: ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଅଧିକ ସଂଖ୍ୟକ ଲୋକ ଆହତ ହୋଇଥିବାରୁ ମୃତ୍ୟୁସଙ୍ଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି।
ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୂର୍ବ ସହର ଭୈରବରେ ଏକ ମାଲବାହୀ ଟ୍ରେନ୍ ବିପରୀତ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ଧକ୍କା ଯୋଗୁଁ ଦୁଇଟି ଯାତ୍ରୀବାହୀ ବଗି ଲାଇନଚ୍ୟୁତ ହୋଇଥିବା ଅଧିକାରୀମାନେ କହିଛନ୍ତି।
ଭୈରବର ଜଣେ ସରକାରୀ ପ୍ରଶାସକ ସାଦିକୁର ରେହମାନ କହିଛନ୍ତି, ଆମେ ୧୫ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି। ଭୈରବ ରାଜଧାନୀ ଢାକାର ପ୍ରାୟ ୬୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟୁନ ୧୦୦ ଜଣ ଆହତ ହୋଇଛନ୍ତି।
ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪ଟାରେ ଘଟିଥିବା ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ଭଳି ସମାନ ଲାଇନରେ ପ୍ରବେଶ କରିଥିଲା ବୋଲି ରେହମାନ୍ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଯେଉଁଭଳି ଏହି ଦୁର୍ଘଟଣା ଘଟିଛି ତାହା ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ମନେ ପକାଇ ଦେଇଛି। କାରଣ ମାଲବାହୀ ଗାଡି ଯେଉଁ ଟ୍ରାକରେ ଛିଡା ହୋଇଥିଲା ସେହି ଟ୍ରାକକୁ ଆସି ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ ପଛପଟୁ ଧକ୍କା ଦେଇଥିଲା ଆଉ ଅନ୍ୟ ଏକ ଟ୍ରାକରେ ଆସୁଥିବା ଟ୍ରେନ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲ।