Latest Odisha News

BREAKING NEWS

ସଚିବାଳୟ ସେବା ସଂଘର ଚେତାବନୀ, ଦାବି ପୂରଣ ନହେଲେ ଲୋକସେବା ଭବନ ଆଗରେ ଦେବେ ଧାରଣା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ନଭେମ୍ବର ୩ ତାରିଖରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ଦେବ ଓଡିଶା ସଚିବାଳୟ ସେବା ସଂଘ। ରାଜ୍ୟର ଅନ୍ୟ ସମସ୍ତ ବର୍ଗର କର୍ମଚାରୀମାନେ ସେମାନଙ୍କ କେନ୍ଦ୍ରୀୟ ପ୍ରତିପକ୍ଷ ସହ ସମାନ ହାରରେ ଦରମା ପାଉଥିବା ବେଳେ, କେବଳ ସଚିବାଳୟ ସେବା ବର୍ଗର କର୍ମଚାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ତେଣୁ କେନ୍ଦ୍ରୀୟ ସଚିବାଳୟ ଏ.ଏସ.ଓ. ମାନଙ୍କ ଦରମା ହାରରେ ରାଜ୍ୟ ସଚିବାଳୟ ଏ.ଏସ.ଓ. ମାନଙ୍କର ଦରମା ଲେଭେଲ-୧୦ ରେ ନିର୍ଦ୍ଧାରଣ କରିବା ନେଇ ଦାବି ରହିଛି।

ବିଗତ ଦିନରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟଶାସନ ସଚିବ, ଗୃହ ସଚିବ, ଅର୍ଥ ସଚିବ ଓ ଅନ୍ତର୍ମନ୍ତ୍ରୀସ୍ତରୀୟ ସମିତି ନିକଟରେ ସଂଘର ଦାବି ସ୍ଵତନ୍ତ୍ର ଭାବେ ଉପସ୍ଥାପନ କରିଛନ୍ତି। ଦାବି ଉପରେ ସବିଶେଷ ଆଲୋଚନା ପୂର୍ବକ ସମସ୍ତେ ଦାବିର ଯଥାର୍ଥତା ହୃଦୟଙ୍ଗମ କରିଥିଲେ ମଧ୍ୟ ଦାବିପୂରଣ ଦିଗରେ କୌଣସି ସୁଫଳ ନମିଳିବା ହେତୁ ଗତ ଜୁନ ୩୦ ତାରିଖ ମଧ୍ୟାହ୍ନ ବିରତି ସମୟରେ ଓଡିଶା ସଚିବାଳୟ ସେବା ସଙ୍ଘର ସମସ୍ତ ଅଧିକାରୀ ଲୋକସେବା ଭବନରେ କଳା ବ୍ୟାଚ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ସଂଘ ଏହାର ପ୍ରସ୍ତାବିତ ଧାରଣା ସ୍ଥଗିତ ରଖିଥିଲା।

ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଏନେଇ ବହୁବାର ଆଲୋଚନା ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସଂଘ ତରଫରୁ ଗତ ସେପ୍ଟେମ୍ବର ୦୯ ତାରିଖ ମଧ୍ୟାହ୍ନ ବିରତି ସମୟରେ ଲୋକସେବା ଭବନ ସ୍ଥିତ ପାମ୍ କୋର୍ଟଠାରେ ଧାରଣା ପାଇଁ ଅବଗତ କରଯାଇଥିଲା। ପୁନଶ୍ଚ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇ ସଂଘର ଦାବି ଉପରେ ନିର୍ଣ୍ଣୟ ପାଇଁ ଉଚ୍ଚତମ ପାହ୍ୟା ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିଲା ପରେ ସଂଘ ଏହାର ପ୍ରସ୍ତାବିତ ଧାରଣା ସ୍ଥଗିତ ରଖିଥିଲା। ଏଥିମଧ୍ୟରେ ବହୁବାର ବହୁସ୍ତରରେ ଆଲୋଚନା ହୋଇଆସିଛି। ସଂଘର ଏହା ଦୃଢ ବିଶ୍ଵାସ ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ହିଁ, ସଂଘର ଦାବି ସମାଧାନ ହୋଇପାରିବ।

ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ସଂଘର ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ଯଦି ସରକାର ଉଚିତ୍ ପଦକ୍ଷେପ ନନିଅନ୍ତି ତେବେ ସଂଘ ଆହୁରି ଦୃଢ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ। ଏହି ପ୍ରତିବାଦ ଆଗକୁ ଆହୁରି ତୀବ୍ରତର ହେବ ବୋଲି ମଧ୍ୟ ସଙ୍ଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଆସନ୍ତା ଦିନରେ କାର୍ଯ୍ୟବନ୍ଦ ସହ, ବିଧାନସଭା ଅଧିବେଶନ ସମୟରେ ଅସହଯୋଗ ପାଇଁ ସଂଘ ନିଷ୍ପତି ନେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବରାଳ ସ୍ପଷ୍ଟୋକ୍ତି କରିଛନ୍ତି।

Comments are closed.