ନୂଆପଡା: ନୂଆପଡାରେ ଆତଙ୍କ ଖେଳାଇଛି ବାଘ । ଗତକାଲି ସନ୍ଧ୍ୟାରେ ଗାଁରେ ପଶି ଏକ ୭ବର୍ଷର ଶିଶୁକୁ ଝାମ୍ପିନେଇ ମାରିଦେଇଥିବା ବେଳେ ଆଜି ଗୁହାଳରେ ପଶି ଏକ ଗାଇକୁ ମାରି ଖାଇଛି ମଣିଷଖିଆ ବାଘ । ଯାହାକୁ ନେଇ ସାରା ଅଞ୍ଚଳରେ ଏବେ କୋକୁଆ ଭୟ ଖେଳିଯାଇଛି । ଭୟରେ ଲୋକେ ଘର ଭିତରୁ ବାହାରିବା ବନ୍ଦ କରିଦେଲେଣି । ସେପଟେ ବନବିଭାଗ ରେଞ୍ଜରଙ୍କ ନେତୃତ୍ଵରେ ଏକ ସ୍ଵତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବଳକ ଜଣଙ୍କ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇଟି ବାଘ ଆସି ଶିଶୁକୁ ଟାଣି ନେଇଥିଲେ । ଗ୍ରାମବାସୀ ଠେଙ୍ଗାଧରି ଗୋଡାଇବାରୁ ୨୦୦ ମିଟର ଦୂରରେ ଶିଶୁକୁ ଛାଡି ପଳାଇଯାଇଥିଲେ ଦୁଇ ବାଘ । ଶିଶୁକୁ ଉଦ୍ଧାର କରିବା ପୁର୍ବରୁ ହିଁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ଶିଶୁକୁ ମାରି ଖାଇବାର କିଛି ସମୟ ନ ପୁରୁଣୁ ରାତି ଅଧରେ ପୁଣି ଜଣଙ୍କ ଗୁହାଳରେ ପଶି ଏକ ଗାଇକୁ ମାରିଖାଇଥିଲା ବାଘ । ସକାଳୁ ସକାଳୁ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ ଗାଇ ମାଲିକ । ତେବେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଏଯାବତ୍ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭୋଯୋଗ କରିଛନ୍ତି ଗ୍ରାମବାସୀ ।
Comments are closed.