ଭୁବନେଶ୍ୱର: ପିଆଜର ଆକାଶଛୁଆଁ ଦରକୁ ନେଇ ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଛି।
ଓଡ଼ିଶାରେ ପିଆଜ ଦର ୮୦ ଟଙ୍କାରେ ପହଞ୍ଚିବା ପରେ ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ଗୁରୁତର ଭାବେ ପଡ଼ିଛି। ରାଜ୍ୟ ସରକାର ପିଆଜ ଦର ଓ କଳାବଜାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଛାତ୍ର କଂଗ୍ରେସର କର୍ମୀମାନେ ପିଆଜ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରତିବାଦ ସ୍ୱରୂପ ସେମାନେ ପିଆଜ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ମଧ୍ୟ କରିଛନ୍ତି।
ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପିଆଜ ଦର ନିୟନ୍ତ୍ରଣ ପାଇଁ ୨୦୧୫ରେ ୧୫ କୋଟି ଟଙ୍କା ବ୍ୟୟରେ ପିଆଜ ମିଶନ ଗଠନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ସୁଫଳ ପାଇପାରିନାହାନ୍ତି। ଫଳରେ ପିଆଜ ସମେତ ପରିବା ଦର ପୂର୍ବଭଳି ବାରମ୍ବାର ଆକାଶଛୁଆଁ ହେଉଛି ବୋଲି ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ ଅଭିଯୋଗ କରିଛନ୍ତି।
ଓଡ଼ିଶାରେ ଲୋକେ ପିଆଜ ଉପରେ ନିର୍ଭର କରନ୍ତି, କାରଣ ଏହା ଏକ ମୁଖ୍ୟ ଖାଦ୍ୟ। ତେବେ ପିଆଜ ଦର କିଲୋ ପିଛା ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚିବେ ନାବାଜଙ୍କୁ ପ୍ରଶ୍ନ କରିଥିଲେ।
ରାଜ୍ୟ ସରକାର ଗରିବଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ଶାସନ କରୁଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦରଦାମ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ତେଣୁ ବାଧ୍ୟ ହୋଇ ପିଆଜ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଯଦି ମନ୍ତ୍ରୀ ପିଆଜ ଦର କମାଇ ପାରିବେ ନାହିଁ ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ଆଉ ଜଣେ ଛାତ୍ର କଂଗ୍ରେସ ନେତା ଦାବି କରିଛନ୍ତି।
ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ଦୋଷ ଠେଲାଠେଲି । ଶାସକ ଦଳ ବିଜେଡି ଓ ପ୍ରମୁଖ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ।
ବିରୋଧୀ ଦଳର ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଏତେ ଦିନ ଧରି ଶାସକ ଦଳ କ୍ଷମତାରେ ରହିଲା କିନ୍ତୁ ରାଜ୍ୟରେ ଶୀତଳ ଭଣ୍ଡାରଟିଏ କରିପାରିଲେ ନାହିଁ। ଯଦି ଶୀତଳ ଭଣ୍ଡାର ହୋଇଥାନ୍ତା ଏବେ ସେଥିରେ ମହଜୁଦ ଥିବା ପିଆଜ କାମରେ ଲାଗିପାରିଥାନ୍ତା ଆଉ ଲୋକେ ମଧ୍ୟ ବେଶ କମ୍ ଦାମରେ ପିଆଜ କିଣି ପାରିଥାନ୍ତେ। ଖାଲି ଏତିକି ନୁହେଁ ରାଜ୍ୟ ସରକାର କଳାବଜାରୀ ମଧ୍ୟ ରୋକି ପାରୁନି । କେବଳ କେନ୍ଦ୍ରକୁ ଦୋଷ ଦେବା ଏକ ଅଭ୍ୟାସ ପାଲଟି ଯାଇଛି ବୋଲି କହିଛନ୍ତି।
ଅନ୍ୟପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପିଆଜ ଦର ବୃଦ୍ଧି କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଦେଖା ଦେଇଛି। ଏବେ ଏହା ଏକ ଜାତୀୟ ପ୍ରସଙ୍ଗ। କେନ୍ଦ୍ର ସରକାର ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଲେ ହିଁ ଦର ହ୍ରାସ ପାଇବ। ରାଜ୍ୟ ସରକାର କଳାବଜାରୀ ଉପରେ ନଜର ରଖିଛନ୍ତି।
Comments are closed.