Latest Odisha News

BREAKING NEWS

ପୂର୍ବତନ ସାଂସଦଙ୍କ ପୁଅକୁ ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ସାଧାରଣ ଲୋକଙ୍କ କଥା ଛାଡ, ନେତା, ମନ୍ତ୍ରୀ ବି ପାଉନାହାନ୍ତି ସ୍ୱାସ୍ଥ୍ୟ ସେବା । ଶୁଣି ଆଶ୍ଚର୍ଯ୍ୟ ହେବେ, ସରକାରୀ ଡାକ୍ତରଖାନାରେ ଜଣେ ପୂର୍ବତନ ସାଂସଦଙ୍କ ପୁଅକୁ ମିଳିଲାନି ବେଡ । ଶେଷରେ ସେ ଛଟପଟ ହୋଇ ଆଖି ବୁଜିଦେଲେ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ପୂର୍ବତନ ବିଜେପି ଭୈରୋ ପ୍ରସାଦ ମିଶ୍ରଙ୍କ ପୁଅଙ୍କର ଅକାଳ ବିୟୋଗ ହୋଇଯାଇଛି । ସରକାରୀ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । ତାହା ପୁଣି ରାଜ୍ୟ ରାଜଧାନୀ ଲକ୍ଷ୍ନୌର ଏକ ବଡ ସରକାରୀ ଡାକ୍ତରଖାନାରେ ।
ଏହି ଘଟଣା ପରେ ପୂର୍ବତନ ସାଂସଦ ଏସଜିପିଜିଆଇ ହସ୍ପିଟାଲ ସମ୍ମୁଖରେ ମୃତ ପୁଅର ଶବକୁ ଧରି ଧାରଣାରେ ବସିଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିବା ସହ ଜଣେ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି ।
ପୂର୍ବତନ ସାଂସଦଙ୍କ ପୁଅ ପ୍ରକାଶ ମିଶ୍ର କୀଡନି ରୋଗରେ ଆକ୍ରାନ୍ତ ଥିଲେ । ସୋମବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଇବାକୁ ନେଇଥିଲେ । ହେଲେ ବିଫଳ ହୋଇଥିଲେ । କାରଣ ତାଙ୍କୁ ସେଠାରେ ବେଡ ମିଳି ନ ଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏପରି ଅବ୍ୟବସ୍ଥାକୁ ବିରୋଧ କରି ପୂର୍ବତନ ଏମପି ଧାରଣା ଦେଇଛନ୍ତି । ସେ କହିଛନ୍ତି, ବହୁ ଲୋକ ଏଠାରେ ଦାୟିତ୍ୱରେ ଥିବା ଏମର୍ଜେନ୍ସି ମେଡିକାଲ ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ।ତେବେ ଏହି ଘଟଣାର ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।

Comments are closed.