Latest Odisha News

BREAKING NEWS

ପଢ଼ିବାର ଅଭ୍ୟାସ ମତେ ଲେଖିବା ପାଇଁ ପ୍ରେରିତ କଲା : ସୁବ୍ରତ କୁମାର ଜେନା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସୁବ୍ରତ କୁମାର ଜେନା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବିଶେଷ ଭାବରେ ଗୀତି କବିତା ରଚନାରେ ସେ ଖୁବ ପରିଚିତ ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସୁବ୍ରତ କୁମାର ଜେନାଙ୍କ ସହ ‘ସ୍ଵଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପିଲାବେଳ କଥା ଅନେକ ମନେ ରଖନ୍ତି ଅନେକ ଭୁଲିବି ଯାଆନ୍ତି । ମୁଁ କିନ୍ତୁ ସେ ମନେ ରଖିଲା ବାଲାଙ୍କ ମଧ୍ୟରୁ ଜଣେ । ଆଜି ବି ମନେ ପଡେ ଗାଁରେ ବିଦ୍ୟୁତ ଉପଲବ୍ଧ ନଥିଲା ବେଳେ ମୋ ବୋଉ ନିତି ରାତିରେ ଡିବିରି ଜଳେଇ ଅନେକ ବହି ପଢେ । ଯାହାକି ସେ ବାହାଘର ସମୟରେ ଆଣିଥିଲା । ସେଥିରୁ କିଛି କିଛି ଗପ ବହି ପଢିବାକୁ ମତେ ଭଲ ଲାଗେ । ଯାହା ପରବର୍ତ୍ତୀ ସମୟରେ ମୋତେ ଲେଖା ଲେଖିରେ ସହାୟକ ହେଲା ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ସତ କହିବି, ସମ୍ବାଦ ଖବର କାଗଜରେ ଯେଉଁ ଛବି ଦେଖି କବିତା ଲେଖିବାକୁ କୁହାଯାଏ ,ସେ ଲେଖାରେ ପ୍ରଥମ ଥର ଗୋଟିଏ ଛବି ‘କନ୍ୟାରତ୍ନ’ ବିଷୟରେ ମୁଁ ତିନି ଚାରି ପ୍ରକାରର ଲେଖା ଲେଖି ମୋ ନିଜ ନାମ ସହିତ ମୋ ଭାଇ, ଭଉଣୀଙ୍କ ନାମ ଲେଖି ପୋଷ୍ଟ କାର୍ଡ ପଠାଇଥିଲି । ଯେତେ ବେଳେ ସେଥିରୁ ଗୋଟିଏ ଲେଖା ପ୍ରକାଶିତ ହେଲା, ସେ ମୁହୂର୍ତ୍ତ ମୋ ପାଇଁ ଅବର୍ଣ୍ଣନୀୟ ଥିଲା। ଲାଗୁଥିଲା ଯେମିତି ଗୋଟେ ବଡ଼ ପୁରସ୍କାର ପାଇଯାଇଛି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ ବହୁତ କମ ହିଁ ଲେଖିଥାଏ । ହେଲେ କବିତାରେ ମୁଁ ପ୍ରାୟ ପ୍ରତିଦିନ ଆମ ସହ ଘଟୁଥିବା ଘଟଣା ଓ ଦୁର୍ଘଟଣାର ପ୍ରତିକାର ବିଷୟରେ ଆଲୋକପାତ କରିଥାଏ ।ତା ଛଡା ମତେ ପ୍ରେମ, ପ୍ରଣୟରେ ବିରହ,ବିଚ୍ଛେଦକୁ ଉପସ୍ଥାପନ କରିବାକୁ ବହୁତ ଭଲ ଲାଗେ ।

ମୁଁ କାହିଁକି ଲେଖେ ?

ଜାଣେନା କାହିଁକି କଳ୍ପନା ବିଳାସୀ ହୁଏ ।ତଥାପି ମତେ ଲାଗେ ଈଶ୍ୱର ଯେତେବେଳେ ଏତେ ସୁନ୍ଦର ହୃଦୟ,ତା ସହ ଏତେ ସୁନ୍ଦର ମନଟିଏ ଦେଇଛନ୍ତି, ନିଶ୍ଚିତ ଭାବରେ ସେ ମନ ରାଇଜରେ ସ୍ବପ୍ନ ଆସିବ ।ସେ ଭାବନାକୁ ମୁଁ ଅଧିକ ସମୟ ହୃଦୟରେ ବନ୍ଦୀ କରି ରଖିପାରେ ନାହିଁ ।ତେଣୁ ମୋ ଭାବନା ଶବ୍ଦ ରୂପରେ ସାଧା କାଗଜର ବକ୍ଷକୁ ରଙ୍ଗୀନ କରିବାକୁ ଲମ୍ଫ ଦେଇଦିଏ ।

ତାଙ୍କ ରଚନାରୁ କବିତା : ପଚାରନି ମତେ ଆଉ

ପଚାରନି ମତେ ଆଉ

ଥାଉ ପଚାରନି ମତେ ଆଉ,
ସେ ଭସା ମେଘର ଠିକଣା,
ଗୁଣୁ ଗୁଣୁ ଗୀତ ଗାଇ ବୁଲୁଥିବା
ମହୁ ମାଛିର ବେଗ ଓ ଦିଗ,
ପରସ୍ତ ପରସ୍ତ କରି
ପ୍ରତି କ୍ଷଣ ମରୁଥିବା ଓ ଜୀଉଁଥିବା
ବିଶ୍ୱାସର ବେଡି ବିଷୟରେ ,
ଆଉ ସେଥିରେଘିଅ ଢାଳୁଥିବା
ନିଜର ଅତି ନିଜରଙ୍କ
ଲୁକ୍କାୟିତ ମୋହ,
ଚାରିଆଡେ ପୋଡାଳିଆ
ଧୂଆଁଳିଆ ସମ୍ପର୍କର ପରିଭାଷା,
ତଥାପି କେହି ଅତିଷ୍ଠ ନୁହନ୍ତି
ଯେମିତି ଏ ସ୍ୱାର୍ଥର ଯଜ୍ଞରେ ଯାତନାରେ।

ବହୁତ ହେଲାଣି ମତେ ଆଉ ପଚାରନି,
ଛଦ୍ମ ବେସୀଙ୍କ ପ୍ରବାସ ଠିକଣା,
କି ମାଗନି ଭେଟିଦେବାକୁ
ଅଶ୍ରୁ ଆଉ ଲହୁକୁ ଗୋଟିଏ ପାତ୍ରରେ
ମୋହ ମାୟା ଲୋଭର ଏ ମିଛ ମଞ୍ଚରେ ।

କିଏ ନ ଜାଣେ ଏଠି,
ସବୁ କିଛି କିଣା ବିକା ସ୍ପଷ୍ଟ ଦିବାଲୋକରେ ,
କେବେ ନିରାଶ୍ରୟୀର ଭାଗ୍ୟର ଭୋଗରେ,
କେବେପୁଣି ହାତଭାଗ୍ୟର ପୋଡା ଭାଗରେ,
ଆଉ ଯାହା ବାକି ରହିଯାଏ
ଭାଗ ହୁଏ ଭାଗ୍ୟକୁ ନେଇ
ପାରିଲା ପାଣିଆରେ,
କିଏ ପାଏ ମେଞ୍ଚେ ପୁଣି କିଏ ପାଏ କେଞ୍ଚେ ।

ଥାଉ ଆଉ ମତେ ପଚାରନା ସେ ମହାନ
ଭରତଙ୍କ ସ୍ବପ୍ନର ଭାରତର
ମୁଁ, ତୁମେ, ସେମାନେ, ସମସ୍ତେ ଧଇଁ ସଇଁ,
କେତେବେଳେ ଅସ୍ତିତ୍ୱ ବଞ୍ଚାଇବାରେ ଅବା
ମୋର ମୋର କହୁଥିବା ବହୁରୂପୀ ଏଣ୍ଡୁଅ ଭଳି
ପ୍ରତି ମୁହୂର୍ତ୍ତରେ ରଙ୍ଗ ବଦଳାଉଥିବା
ନିଜରଙ୍କ ମିଥ୍ୟା ପ୍ରବଞ୍ଚନରେ,
ବହୁତ ହେଲାଣି ଏ ବଞ୍ଚି ବଞ୍ଚାଇବାର ମିଛ ଖେଳ ।

ଦୟାକରି ଆଉ କୁହ ନାହିଁ ମତେ,
ବୁଦ୍ଧଙ୍ଗ- ଶରଣଙ୍ଗ -ଗଛାମୀର ମହା ମନ୍ତ୍ରକୁ,
ଏବେତ ଗୋଟେ ସୁଯୋଗ ଦିଅ,
ଗୋଟେ ମାନବବାଦରର ପରିଚୟକୁ
ଆଗକୁ ନେବାକୁ,
ନା ଗୋଟେ ସାହସୀ ଯୋଦ୍ଧାର ପରିଚୟକୁ,
ପ୍ରତି ବିଶ୍ୱାସଘାତ ପ୍ରଶ୍ନର ଉତ୍ତର
ଅଶୀରେ ଦେବାକୁ,
ପ୍ରତିପାଦ କରିବାକୁ ରଣକ୍ଷେତ୍ରରେ ଶେଷ ଅସ୍ତିତ୍ୱକୁ,
ଯୋଉଠି ଶିରିପା ଅପେକ୍ଷାରତ ବିଜୟ ସମାରୋହର,
ପୁଣି ଫେରିବ ଦିନେ ସମୟ ତାର ବସାକୁ,
ବାସ୍ କିଛି କ୍ଷଣର ଅପେକ୍ଷା ।

ଥାଉ ଆଉ ମତେ ପଚାରନା,
ବୁଡିଯାଉଥିବା ସୂର୍ଯ୍ୟଙ୍କ ବସାଘର,
ଉଡିଯାଉଥିବା ପକ୍ଷୀଙ୍କ ଗୀତ,
ଗୋଠ ଫେରନ୍ତା ଗୋରୁପଲଙ୍କ ଖୁସି,
ପାଚିଲା ଶସ୍ୟ ଖେତରେ
ଦୋହଲୁଥିବା କୃଷକର ଆତ୍ମ ସନ୍ତୋଷର ପରିମାଣ,
ଥାଉ ଆନେକ ହେଲା
ଜୀବନ ଜୀବିକାର ମୂଲ୍ୟହୀନ ହିସାବ କିତାବ,
ଆଉ ମତେ କିଛି ପଚାରନି ମୋ ଯନ୍ତ୍ରଣା ବିଷୟରେ,
କହିବାକୁ ଅନେକ କିଛି ବାକି,
ଏମିତିରେ ସମୟ ଯେ ବାହୁଡ଼ିବାକୁ ତର ତର..
ଯିଏ ପ୍ରତି କ୍ଷଣ ମୋ କାନରେ ଅହରହ କହୁଥାଏ,
ମୁଁ ଆଜି ଏକ ହାରିଯାଇଥିବା
ଜୀବନ ଯୁଦ୍ଧର ପଳାତକ ଯୋଦ୍ଧା ।

Comments are closed.