ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ଦେଶ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୧ ରୁ ନୂଆ ବର୍ଷ ଆରମ୍ଭ ହୋଇ ଡିସେମ୍ବର ୩୧ ରେ ବର୍ଷ ଶେଷ ହୁଏ। ଯାହାକି ଖ୍ରୀଷ୍ଟିଆନ ପରମ୍ପରା। ଏହା ବ୍ୟତୀତ ବିଭିନ୍ନ ଦେଶରେ ନିଜ ନିଜ ରୀତି ଅନୁସାରେ ସେମାନଙ୍କର ପାରମ୍ପରିକ ନବବର୍ଷ ମଧ୍ୟ ପାଳନ କରନ୍ତି।
ଭାରତରେ, ଧର୍ମ, ସଂସ୍କୃତି, ପରମ୍ପରା, ଲୋକକଥା ଇତ୍ୟାଦି ଉପରେ ଆଧାର କରି ବିଭିନ୍ନ ଅଞ୍ଚଳକୁ ନୂତନ ବର୍ଷ ପାଳନ କରାଯାଏ। ଏହି ଉତ୍ସବ ମୂଳତଃ କୃଷି ଏବଂ ଜଳବାୟୁ ପରିସ୍ଥିତି ସହିତ ଜଡିତ, ଫସଲ ଏବଂ ଅମଳ ପାଇଁ କାର୍ଯ୍ୟକଳାପ ଆରମ୍ଭ କରେ। ଦେବତାଙ୍କ ପୂଜା, ଆଞ୍ଚଳିକ ଖାଦ୍ୟ ସହିତ ଭୋଜି-ଭାତ, ନାଚ-ଗୀତ ସହିତ ସାଂସ୍କୃତିକ କାର୍ଯ୍ୟକଳାପ, ବିଭିନ୍ନ ନୂତନ ବର୍ଷ ପାଳନର ଅଂଶ, ଆମ ଦେଶର ସୁନ୍ଦର ବିବିଧତାକୁ ପ୍ରଦର୍ଶନ କରେ। ଆଜିର ଦିନରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ଏହି ନୂଆ ବର୍ଷ ପାଳନ କରନ୍ତି। ଆଜିର ଦିନରେ ଓଡିଶାରେ ପଣାସଂକ୍ରାନ୍ତି, ପଞ୍ଜାବରେ ବୈଶାଖୀ, ବଙ୍ଗୀୟ ନବବର୍ଷରେ ପଇଲା ବୈଶାଖ, ମାଲାୟଲମରେ ବିଷୁ, ଆସାମରେ ବୋହାଗ ବିହୁ, ମହାରାଷ୍ଟ୍ରରେ ଗୁଡି ପାଡୱା, ତାମିଲନାଡୁରେ ପୁଥାଣ୍ଡୁ ଭାବେ ପାଳନ କରାଯାଏ।
ଆମ ଓଡିଶାରେ ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଆଜିର ଦିନକୁ ଓଡିଆମାନେ ନୂଆବର୍ଷ ଭାବେ ପାଳନ କରନ୍ତି । ମହାବିଷୁବ ସଂକ୍ରାନ୍ତି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ । ଓଡିଆଙ୍କ ହିସାବରେ ବୈଶାଖରୁ ବର୍ଷ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ । ଓଡିଆ ପଞ୍ଜିକାର ଗଣନା ଅନୁସାରେ ପଣା ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତିଭାବେ ମଧ୍ୟ ଗ୍ରହଣ କରାଯାଏ । ଆଜିଠାରୁ ବର୍ଷ ଆରମ୍ଭ ହେଉଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା କରାଯାଏ ।
ବିଶୁବରେଖାରେ ଦେବାଦେବୀ ଅବସ୍ଥାନ କରିବା ସହ ସୂର୍ଯ୍ୟଙ୍କ କିରଣ ପ୍ରଖର ହୋଇଥାଏ । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁଁ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ଆଜିର ଦିନରେ ଓଡିଆଣୀମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଡିଆ କରି ବସୁନ୍ଧରା ଠେକି ବାନ୍ଧିଥାନ୍ତି । ସେହି ଠେକିରେ ଏକ ଛିଦ୍ର କରାଯାଇଥାଏ । ସେହି ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ । ଆଜିର ଦିନଠାରୁ ମାସେ ଯାଏ ସୂର୍ଯ୍ୟଦେବ ମେଷ ରାସିରେ ଅବସ୍ଥାନ କରିଥାନ୍ତି ।
ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡୁଥିବାରୁ ରାଜଧାନୀରେ ସମସ୍ତ ହନୁମାନ ମନ୍ଦିରରେ ପ୍ରସ୍ତୁତି କରାଯାଇଛି । ଦେଖନ୍ତୁ ଏହି ଭିଡିଓ ଏ ହେଉଛି ରାଜଧାନୀର ରାମ ମନ୍ଦିରର ଦୃଶ୍ୟ। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିର ଆସି ହନୁମାନ ଚାଳିସା ପାଠ କରିଛନ୍ତି । ମନ୍ତ୍ରପାଠ ଓ ହୋମଯଜ୍ଞରେ ପୁରା ପରିବେଶ ପ୍ରକମ୍ପିତ ହେଉଛି । ଆଜିଭଳି ଦିନରେ ପ୍ରଭୁଙ୍କୁ ଦର୍ଶନ କଲେ ଶୁଭ ହୋଇଥାଏ ବୋଲି କୁହାଯାଏ ।