Latest Odisha News

ମଞ୍ଚେଶ୍ୱର ଅଳିଆ ଡମ୍ପିଂୟାର୍ଡ ମାମଲାରେ ହସ୍ତକ୍ଷେପ କଲେ ଓଏଚଆରସି

ଭୁବନେଶ୍ୱର: ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଟ୍ରାନଜିଟ୍ ଷ୍ଟେସନ୍ (ଟିଟିଏସ୍)ରେ ଅଳିଆ ପାହାଡ଼କୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆରସି) ମଞ୍ଚେଶ୍ୱର ରେଳ କଲୋନି ନିକଟରେ ଅଳିଆ ପକାଯାଉଥିବା ନେଇ ରିପୋର୍ଟ ତଲବ କରିଛନ୍ତି।

ଡିସେମ୍ବର ୧୧ ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି। ସୁର ପାତ୍ର ଓ ଆଞ୍ଚଳିକ ସୁରକ୍ଷା ମଞ୍ଚର ଅନ୍ୟ ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ଏହି ନୋଟିସ୍ ଜାରି କରାଯାଇଛି।

ଅଭିଯୋଗ ପତ୍ରରେ ସୁର ପାତ୍ର ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ସହରର ସମସ୍ତ ବର୍ଜ୍ୟବସ୍ତୁକୁ ବିଏମସି ମଞ୍ଚେଶ୍ୱର ଅଞ୍ଚଳରେ ପକାଉଛି। ଏପରି ଅଳିଆ ଆବର୍ଜନା ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗରେ ମାନବାଧିକାରର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଯାଇଛି। ଆବେଦନର ଏକ ନକଲ କମିସନରଙ୍କ ନିକଟକୁ ପଠାଯିବ। ଭୁବନେଶ୍ୱର ମହାନଗର ନିଗମ ଡିସେମ୍ବର ୧୧ ସୁଦ୍ଧା ଏହି ଅଭିଯୋଗର ତଦନ୍ତ କରି ବିସ୍ତୃତ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରଦାନ କରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ରେ ହେବ।

Comments are closed.