ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜକ /ଅର୍ଚ୍ଚକମାନଙ୍କ ପ୍ରକୃତି ବା ଲକ୍ଷଣ କିଭଳି ହେବା ଆବଶ୍ୟକ ଆମେ ସେହି ଆଲୋଚନା ଜାରି ରଖିଛେ। ସେହି ପରିପ୍ରେକ୍ଷୀରେ ଆମେ ଜାଣିଲେ ଜଣେ ପୂଜକ ବା ସେବକ ପ୍ରଥମେ ଜଣେ ଭକ୍ତ ହେବା ନିତାନ୍ତ ଜରୁରୀ, କାରଣ ଯୁଗେ ଯୁଗେ ଭକ୍ତମାନେ ହିଁ ମହାପ୍ରଭୁଙ୍କର ଅନନ୍ୟ ସେବକ ଭାବେ ଉଭା ହୋଇଛନ୍ତି। ବିଶିଷ୍ଟ ଗ୍ରନ୍ଥ ବାମଦେବ ସଂହିତାର ଏକାଦଶ ଅଧ୍ୟାୟରେ ସେବକମାନଙ୍କ କର୍ମ ବିଷୟରେ ସଂକ୍ଷିପ୍ତ ବର୍ଣ୍ଣନା ରହିଛି। ଏମିତି ବି ଆମେ ପ୍ରଚଳିତ କଥା ଭିତରେ କହିଥାଉ ସେବକମାନଙ୍କ ଏହି କର୍ମ ସତ୍ୟ ଯୁଗର ତପୀଙ୍କ ପରି, ଅବା ତ୍ରେତୟା ଯୁଗର କପିଙ୍କ ପରି ତଥା ଦ୍ୱାପର ଯୁଗର ଗୋପୀଙ୍କ କର୍ମ ପରି ହେବା ଉଚିତ। ଏହି ତିନି ଯୁଗର ତପୀ, କପି ଓ ଗୋପୀଙ୍କ ମଧ୍ୟରେ ଏକ ସାମଞ୍ଜସ୍ୟ ହେଲା ଏମାନେ ସମସ୍ତେ ଭଗବାନଙ୍କୁ ଖୁବ ଭଲ ପାଉଥିଲେ। ଅର୍ଥାତ ପ୍ରଭୁଙ୍କୁ ନିଜର ସର୍ବସ୍ବ ସ୍ୱାମୀ ବୋଲି ଚିନ୍ତା କରୁଥିଲେ। ସେହିଭଳି କଳିଯୁଗରେ ମହାପ୍ରଭୁଙ୍କୁ ସେବକ ବା ପୂଜକମାନେ ନିଜର ସର୍ବସ୍ବ ସ୍ୱାମୀ ଜ୍ଞାନ କରିବା ଉଚିତ। ଶ୍ରୀମଦ ଭାଗବତରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ “ତାଙ୍କର ଏକନିଷ୍ଠ ସେବକମାନେ ହିଁ ତାଙ୍କ ସେବାରେ ଏତେ ଆନନ୍ଦ ଲାଭ କରନ୍ତି ଯେ, ସେମାନେ କେବଳ ପ୍ରଭୁଙ୍କ ସେବା ବ୍ୟତୀତ ସଂସାରରେ ମିଳୁଥିବା ପାଞ୍ଚ ପ୍ରକାର ମୁକ୍ତି ମଧ୍ୟ ଇଚ୍ଛା କରିନଥାନ୍ତି । ଏପରିକି ସାଂସାରିକ ସୁଖ ସ୍ଵଚ୍ଛନ୍ଦକୁ ମଧ୍ୟ ଜଳାଞ୍ଜଳି ଦେଇଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ପୂଜକ /ସେବକମାନଙ୍କ ପ୍ରକୃତ କର୍ତ୍ତବ୍ୟ କଣ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ଏ ସର୍ବ ବର୍ଣ୍ଣ ସର୍ବାଶ୍ରମ
ସମ୍ଭବ ଉଚ୍ଚ ନୀଚ ସ୍ଥାନ।
ପ୍ରକୃତି ଜନ୍ମ ଅନୁସାରେ
ସ୍ଵଭାଵ ଆଚର ବେଭାରେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )