ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷା, ସାହିତ୍ୟେ ଶେଷ କଥା
ସଂଧାନ କରିଲେ ଅଯଥା
କେବେ ବି ମିଳିନାହିଁ ତାହା
ଅଂକା ବଂକା ମନକୁ ରାହା
ଶବ୍ଦର ଯେତେକ ସାଧକ
ନ ହୋଇ କାହାର ବାଧକ
ଅଥବା ନୀତି ନିର୍ଧାରକ
ଅଜାଡ଼ିଦେଲେ ଶବ୍ଦ ତକ
ତହିଁରୁ ମିଳିଲେ ଭାବାର୍ଥ
ପାଠକେ ମଣଂତି ଯଥାର୍ଥ
ଶବ୍ଦରେ କଲେ ଅର୍ଥନ୍ୟାସ
କବିଂକୁ ମିଳଇ ସଂତୋଷ
କବି ଯାହା ଥାଆଂତି ଭାବି
ତାହାକୁ ହୃଦେ ଅନୁଭବି
ପାଠକେ କରିଲେ ଗ୍ରହଣ
ଭାଷାଟେ ହୁଏ ବଳୀୟାନ
କ ଳ୍ପନା ବି ଚାର ତା °କର
ଯଦି ନୁହେ ଭାବର ଘର
ଶବ୍ଦଂକୁ ଏପଟ, ସେପଟ
ନିଶ୍ଚୟ କର ଆଉ ଘାଂଟ
ପାତ୍ର, ଘଟ ହେଲେ ବି ଭିନ୍ନ
ପାଣି ତ ସବୁଠି ସମାନ
ଜ୍ଞାନବଂତ ହିଁ ପାରେ ଯୋଡ଼ି
ଅଜ୍ଞାନ ଏକା ରହେ ପଡ଼ି
ସଂଭାବନା ତ ଅସୀମିତ
ବାସ୍ତବତା ଏବେ ସୀମିତ
ଆମ ମାଟିର କୀର୍ତିରାଜି
କ୍ରମଶଃ ଯାଉଛଂତି ହଜି
ସଂବାଦପତ୍ର ଏବେ ଶିଳ୍ପ
ତଥ୍ୟ ଅଳପ, ବେଶି ଗଳ୍ପ
ମାଲିକ ବୋଲକରା ହୋଇ
ସଂବାଦଦାତା ଥାଏ ଜିଇଁ
ସେ କରେ ପାଠ ଉତ୍ପାଦନ
ତେଣୁ ତ ମିଳଇ ବେତନ
ନାହିଁ ଯାହାର ସ୍ବାୟତ୍ତତା
ସେ କି ଲେଖିବ ସତ କଥା ?
କମିଛି ଚିତ୍ତର ମହତ୍ତ୍ବ
ବଢ଼ିଛି ବିତ୍ତର ପ୍ରଭୁତ୍ବ
ସଭିଏଁ କଲେ ବ୍ୟବସାୟ
ନାହିଁ ଉନ୍ନତି, ଅଛି କ୍ଷୟ
କଳ୍ପନାତୀତ ଏବେ ଏହା
ମିଳୁନି କାହାକୁ ବି ରାହା
କିଏ ହେବ କାହାକୁ ସାହା
ତାହା ଜାଣଂତି ଚଉବାହା
ତଥ୍ୟ ତ ହେଲାଣି ତୁମର
ସ୍ବେଚ୍ଛାରେ କର ବ୍ୟବହାର
ନିଜର ବୁଦ୍ଧି ଆଉ ଜ୍ଞାନ
ଘଟୁ ମିଥ୍ୟାର ଅବସାନ
ଏବେ ହିଁ କରୁଁ ସର୍ବେ ସ୍ଥିର
କି ହେବ ବିଶ୍ବ ଉପକାର
ସତ୍ୟ ସହିତ ହେଉଁ ଯୋଡ଼ି
ସୁଦିନ ଆସିବ ବାହୁଡ଼ି
Comments are closed.