ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୦୦୩ ପରାଜୟ ଏବେ ବି ଭାରତୀୟଙ୍କ ମନରୁ ଲିଭି ନାହିଁ । ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଭାରତୀୟ ପ୍ରଶଂସକ ବିଜୟ ଆଶାରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଅବସରରେ ସେ ବିଶ୍ୱକପ ଫାଇନାଲ ନେଇ ଏକ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ଭାରତକୁ ହରାଇ ଅଷ୍ଟ୍ରେଲିଆ ରେକର୍ଡ ଷଷ୍ଠ ଥର ଟାଇଟଲ ହାସଲ କରିବ । ଫାଇନାଲରେ ଅପରାଜେୟ ଅଷ୍ଟ୍ରେଲିଆ ୨ ୱିକେଟ ବିନିମୟରେ ୪୫୦ ରନ କରିବ ଏବଂ ଭାରତ ୬୫ ରନରେ ଅଲଆଉଟ ହୋଇଯିବ ।
ଅବଶ୍ୟ ତାଙ୍କର ଭବିଷ୍ୟବାଣୀ କିଛି ଅଂଶରେ ସତ ହୋଇଥିବା ବେଳେ ଆଉ କେତେକ ମିଥ୍ୟା ସାବ୍ୟସ୍ତ ହୋଇଛି । ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ଅପରାଜେୟ ନ ଥିବା ବେଳେ ଆୟୋଜକ ଟିମ ଇଣ୍ଡିଆ ପରାଜିତ ହୋଇନି । ପ୍ରଶଂସକମାନେ ଏଥିନେଇ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କେତେକ ପ୍ରଶଂସକ ମାର୍ଶ ଭୁଲରେ ଭାରତ ବଦଳରେ ଅଷ୍ଟ୍ରେଲିଆ କହି ଦେଇଛନ୍ତି । ଲିଗ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ତାର ପ୍ରଦର୍ଶନର ପ୍ରମାଣ ଦେଇପାରିଛି । ପାକିସ୍ତାନ, ନ୍ୟୁଜିଲାଣ୍ଡ ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରେକର୍ଡ ସୁଧାରିବ ବୋଲି ପ୍ରଶଂସକମାନେ କହିଛନ୍ତି ।
Comments are closed.