ବିନୋଦିନୀ ଦାଶ
ଭବସାଗର ବେଳାଭୂମିରେ
ବାନ୍ଧିଛି ମୁହିଁ ବସା,
ଶିଳ୍ପୀଟିଏ ସାଜି ମୁଁ ବଞ୍ଚେ
ଧରି କର୍ମ ବେଉସା ।
ତା’ ସାଥେ ନିତି ସୁଖରେ ଥାଏ
ନବ ଚେତନା ଧରି,
ବିଫଳ ହେଲେ ଭାଙ୍ଗି ପଡ଼େନି
ତୋଳଇ ନୂଆ କରି ।
ଯେପରି ଗଢ଼େ ବାଲୁକା ଶିଳ୍ପୀ
ବେଳାଭୂମିରେ ମୂର୍ତ୍ତି,
ସାଧନା ଚେଷ୍ଟା ବିଭୁ କରୁଣା
ଜୀବନେ କରି ସାଥୀ ।
ବାଆ ବତାସ ଆସିକି ଯେତେ
ବାଲି ଉଡ଼ାଇ ନେଲେ,
ଗୋଟେଇ ଆଣି ଏକାଠି କରି
ନୂଆ ରୂପରେ ତୋଳେ ।
ଡର ଭୟ କି ଉଦାସ ପଣ
ନଥାଏ ମୋଠି ଲେଶ,
ଶ୍ରୀଜଗନ୍ନାଥ ଅଛନ୍ତି ବୋଲି
ସଦା ମୋହର ପାଶ ।
କର୍ମବାଲିରୁ ସତ୍ୟ ଧରମ
ଦୟା କ୍ଷମା କରୁଣା,
ମଣିମୁକୁତା ଖୋଜଇ ନିତି
ନ ହୋଇ ବାଟବଣା ।
ତା’ର ଆଲୋକେ ଉଜ୍ଜ୍ବଳି ଉଠି
ହସି ହସାଇ ଧରା,
ମୋ ଶିଳ୍ପୀ ନାମ ସାର୍ଥକ କରି
ରହିବି ଅପାଶୋରା ।
କୁରୁଆଁ, ମୁଗପାଳ, ଯାଜପୁର
Comments are closed.