Latest Odisha News

BREAKING NEWS

ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ରେ ଆରମ୍ଭ ହୋଇ ଡିସେମ୍ବର ୩୦ରେ ଶେଷ ହେବ। ଏହାପୂର୍ବରୁ ଶୀତକାଳୀନ ବିଧାନସଭାର ସମୟରେ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଛି। ବିଧାନସଭା ଚତୁଃପାର୍ଶ୍ୱରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଯେଉଁଥିରେ ଜଣେ ଡିସିପି, ଆଠ ଅତିରିକ୍ତ ଡିସିପି, ୧୬ ଏସିପି, ବମ୍ ସ୍କ୍ବାର୍ଡ, ୨୦ ଜଣ ଇନ୍ସପେକ୍ଟର ରହିବେ।

ଶାନ୍ତିଶୃଙ୍ଖଳାର ସହ ଅଧିବେଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଡିଜିପି ସୁନୀଲ ବଂଶଲ ସୋମବାର ବ୍ୟକ୍ତିଗତ ଭାବେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ପୁଲିସର ଉପସ୍ଥିତି ବୃଦ୍ଧି ସହିତ ବିଶୃଙ୍ଖଳାକୁ କମ୍ କରିବା ଏବଂ ବିଧାନସଭା ଚାରିପାଖରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭୁବନେଶ୍ୱର ପୁଲିସ ପକ୍ଷରୁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରାଯାଇଛି।

୧. ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ଛକରେ ବାମପଟକୁ ଯିବା ପାଇଁ ଡାଇଭର୍ଟ କରାଯିବ।

୨. ଏଜି ଛକରୁ ପିଏମଜି ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନରୁ ଡାହାଣ ପଟକୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକୁ ଯିବ।

୩. ମାଷ୍ଟରକ୍ୟାଣ୍ଟିନରୁ ଆସୁଥିବା ସମସ୍ତ ଯାନବାହାନକୁ ଲୋୟର ପିଏମଜିର ପାର୍ଶ୍ୱବର୍ତ୍ତୀ ଲେନକୁ ଅଣାଯିବ।

୪. ୧୨୦ ବାଟାଲିୟନ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ପାଓ୍ୱାର ହାଉସ୍ ଛକ ଆଡ଼କୁ ଯିବ।

୫. ରାଜଭବନ ଛକରୁ ବିଧାୟକ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗର ଛକ ଦେଇ ଯିବ।

ପୋଲିସ, ଅଗ୍ନି ନିର୍ବାପକ ଏବଂ ଆମ୍ବୁଲାନ୍ସ ସମେତ ଜରୁରୀକାଳୀନ ଯାନ ଏବଂ ଅଧିକୃତ ଯାନଗୁଡିକୁ ଏହି ଟ୍ରାଫିକ୍ କଟକଣାରୁ ବାଦ୍ ଦିଆଯାଇଛି।

Comments are closed.