ମୂଳ ହିନ୍ଦୀ : ଅଶୋକ ବାଜପେୟୀ
ଯଦି ତିଷ୍ଠିବ
ତେବେ ସେ ହିଁ ତିଷ୍ଠିବ
ଆମ ସମସ୍ତଙ୍କ ଭିତରେ ସେହି ଅକିଞ୍ଚନ ମଣିଷଟି
ଯିଏ ରୁଆବ ଆଗରେ କାକୁତିମିନତି ହୁଏନି,
ନିଜ ପିଲାଙ୍କ ନମ୍ୱର ବଢାଇବା ଲାଗି ଯାଏନି ମାଷ୍ଟରଙ୍କ ଘରକୁ,
ଯିଏ ରାସ୍ତାରେ ପଡିଥିବା ଆହତକୁ ସବୁ କାମ ଛାଡି
ସବା ଆଗେ ହାସପାତାଳ ପହଞ୍ଚାଇବାର ଚେଷ୍ଟା କରେ,
ଯିଏ ତା’ ସାମନାରେ ଘଟିଥିବା ଘଟଣାର ସାକ୍ଷୀ ଦେବା ଲାଗି କୁଣ୍ଠା କରେନି –
ସେହି ଅକିଞ୍ଚନ ମଣିଷଟି
ଯିଏ ଧୋକା ଖାଏ ହେଲେ ପ୍ରେମ କରିବାକୁ ପଛାଇ ଯାଏନି,
ଯିଏ ନିଜ ଝିଅର ଭଲ ଫ୍ରକଟିଏ ଲାଗି
ଅନ୍ୟ ପିଲାଙ୍କୁ ତାଳିପକା ଜାମା ପିନ୍ଧିବାକୁ ବାଧ୍ୟ କରେନି,
ଯିଏ କ୍ଷୀରରେ ପାଣି ମିଶାଇବା ଲାଗି କୁଣ୍ଠା କରେ,
ଯିଏ ପରଟା ଖାଇଲା ବେଳେ ଅନ୍ୟର ଶୁଖିଲା ରୁଟି କଥା ଭାବେ,
ସେହି ଅକିଞ୍ଚନ ମଣିଷଟି
ଯିଏ ବୁଢାଙ୍କ ପାଖରେ ବସି ରହିବା ଲାଗି ବିରକ୍ତ ହୁଏନି
ଯିଏ ନିଜ ଘରକୁ ଜିନିଷର ଗୋଦାମ ହେବାରୁ ରକ୍ଷା କରେ,
ଯିଏ ଦୁଃଖକୁ ଦରଖାସ୍ତରେ ବଖାଣିବାର ବାଧ୍ୟବାଧତାରେ ଦୁଃଖୀ ହୁଏ
ଆଉ ଦୁନିଆକୁ ନର୍କ କରି ଦେଇଥିବା ଲାଗି ଅନ୍ୟ କାହାକୁ ଦୋଷ ଦିଏନି
ସେହି ଅକିଞ୍ଚନ ମଣିଷଟି
ଯାହାକୁ ଜଣା
ଗଛ ନିଜ ପତ୍ରରେ ଅହରହ ଗାଇ ଚାଲିଥାଏ ଏକ ସବୁଜ ଗୀତ,
ଆକାଶ ଲେଖେ ନକ୍ଷତ୍ରଙ୍କ ଝିଲିମିଲିରେ ଏକ ଦୀପ୍ତ ବାକ୍ୟ,
ପକ୍ଷୀ ଅଗଣାରେ ବିଞ୍ଚି ହୋଇ ଯାଆନ୍ତି ଏକ ଅଜ୍ଞାତ ବ୍ୟାକରଣ
ସେହି ଅକିଞ୍ଚନ ମଣିଷଟି
ଯଦି ତିଷ୍ଠିବ
ସେ ହିଁ ତିଷ୍ଠିବ ।
ଅନୁବାଦ : ସରଳ କୁମାର ଦାସ
Comments are closed.