Latest Odisha News

BREAKING NEWS

ଗଳ୍ପ ସଂକଳନ ‘ସେଁରରା’ ପାଇଁ ଡିଲେଶ୍ବର ରଣା ପାଇଲେ ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାର

ଭୁବନେଶ୍ୱର: ‘ସାହିତ୍ୟ ଏକାଡ଼େମୀ ଯୁବଲେଖକ ପୁରସ୍କାର’ପାଇଁ ମନୋନୀତ ହେଲେ ଡିଲେଶ୍ବର ରଣା। ଡିଲେଶ୍ବର ରଣାଙ୍କୁ ତାଙ୍କର ଗଳ୍ପ ସଂକଳନ ‘ସେଁରରା’ ପାଇଁ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଛି। କିଛି ବିବାଦ କାରଣରୁ ଚଳିତ ବର୍ଷ ପାଇଁ କୌଣସି ଓଡ଼ିଆ ଯୁବଲେଖକଙ୍କୁ ଏହି ପୁରସ୍କାର ଦିଆଯିବ ନାହିଁ ବୋଲି ଏକାଡ଼େମୀର ୱେବସାଇଟରେ ସୂଚନା ଦିଆଯାଇଥିଲା। ଏହା ଓଡ଼ିଶାର ସାହିତ୍ୟିକ ମହଲରେ ପ୍ରବଳ ଅସନ୍ତୋଷର କାରଣ ହୋଇଥିଲା।

ଏହି ନିଷ୍ପତ୍ତିର ପୁନର୍ବିଚାର ହୋଇ ଓଡ଼ିଆ ବିଭାଗର ଏହି ପୁରସ୍କାର ପାଇଁ ତିନିଜଣ ବିଶିଷ୍ଟ ଲେଖକ ବିଭୁତି ପଟ୍ଟନାୟକ, ଦାଶ ବେନହୁର ଓ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ନେଇ ଏକ ନୂଆ ବିଚାରକ ମଣ୍ଡଳୀ ଗଠନ କରାଗଲା। ଏହି ବିଚାରକ ମଣ୍ଡଳୀର ସୁପାରିଶ କ୍ରମେ ଡିଲେଶ୍ବର ରଣାଙ୍କୁ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି।

ଓଡ଼ିଆ ଯୁବଲେଖକଙ୍କ ପାଇଁ ଉଦ୍ଦିଷ୍ଟ ୨୦୨୩ ମସିହାର ‘ସାହିତ୍ୟ ଏକାଡ଼େମୀ ଯୁବଲେଖକ ପୁରସ୍କାର’ର ପାଇଁ ପୁନର୍ବିଚାର ହେବା ପରେ କଳାହାଣ୍ଡିର ପ୍ରତିଭାବାନ୍ ଯୁବଲେଖକ ଡିଲେଶ୍ବର ରଣା ଏହି ପୁରସ୍କାର ପାଇବେ ବୋଲି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସମ୍ପାଦକ ଡ. କେ. ଶ୍ରୀନିବାସ ରାଓ ନଭେମ୍ବର ୨୮ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି। ‘ସେଁରରା’ ତାଙ୍କ ଦ୍ବାରା ରଚିତ ଦଶଗୋଟି ଗଳ୍ପର ଏକ ଅନବଦ୍ୟ ସଂକଳନ। ଏହା ମୁଖ୍ୟତଃ କଳାହାଣ୍ଡି ଜିଲ୍ଲାର ଲୋକକଥା ଉପରେ ଆଧାରିତ ଏବଂ ଏଥିରେ କଳାହାଣ୍ଡିର ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହୃତ ହୋଇଛି। ଏହା ପୂର୍ବରୁ ଶ୍ରୀ ରଣା ‘ପ୍ରଧାନମନ୍ତ୍ରୀ ୟୁଥ୍ ମେଣ୍ଟରସିପ’ ଯୋଜନାରେ ମନୋନୀତ ହୋଇ ତାହାର ଅଧୀନରେ ‘ମେଳିଭୂଇଁ ‘ ନାମକ ଏକ ଉପନ୍ୟାସ ମଧ୍ୟ ରଚନା କରିଥିଲେ।

Comments are closed.