Latest Odisha News

BREAKING NEWS

୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ, କିପରି ଏତେ ଉପରକୁ ଗଲା ସେନେଇ ସନ୍ଦେହ…

ଭୁବନେଶ୍ଵର: ୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ । ଭୁବନେଶ୍ୱର ସିଯୁଆ ସ୍ଥିତ ୧୮ ମହଲା ଉଚ୍ଚ ଭିପୁଲ୍ ଗ୍ରୀନ ଆପାର୍ଟମେଣ୍ଟର ୧୭ ମହଲାରେ ଥିବା ଏ-୧୭୦୧ ନମ୍ବର ଘର ଭିତରୁ ଏକ ଅଢେ଼ଇ ଫୁଟର ଢମଣା ସାପ ଉଦ୍ଧାର ହୋଇଛି । ଆଜି ସକାଳେ ଘର ଭିତରେ ଏକ ହଳଦିଆ ରଙ୍ଗର ସାପକୁ ଦେଖି ଭୟଭୀତ ଗୃହ କର୍ତ୍ତା ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ୍ କରି ଜଣେଇ ଥିଲେ । ଶୁଭେନ୍ଦୁ ୧୭ ମହଲା ଉପରକୁ ସାପ ଯିବା କଥା ସହଜରେ ବିଶ୍ୱାସ କରି ପାରିଲେ ନାହିଁ ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ଭୁବନେଶ୍ଵର ଏମ୍ସ ସାମ୍ନାରେ ଥିବା ସୁଉଚ୍ଚ ଭିପୁଲ ଗ୍ରିନ ଆପାର୍ଟମେଣ୍ଟ ରେ ପହଞ୍ଚି ଲିଫ୍ଟ ଚଢ଼ି ଏ-୧୭୦୧ ନମ୍ବର ଘରେ ପହଞ୍ଚିଥିଲେ । ସେଇ ଘର ଭିତରେ ଥିବା ଏକ ଛୋଟ କାଠ ଆଲମିରା ପଛରେ ସାପଟି ଲୁଚି ରହିଥିଲା । ପ୍ରାୟ ଅଢେ଼ଇ ଫୁଟ ଲମ୍ବର ବିଷ ହୀନ ଢମଣା ସାପଟିକୁ ପ୍ରଶାନ୍ତ ଉଦ୍ଧାର କରି ବ୍ୟାଗ୍ ଭିତରେ ଭର୍ତ୍ତି କରିଥିଲେ । ସାପଟିକୁ ଉଦ୍ଧାରକରି ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ତେବେ ସାପଟି ୧୭ ମହଲା ଉପରକୁ କିଭଳି ଭାବରେ ଗଲା ସେ ନେଇ କିଛି ସ୍ପଷ୍ଟ କରି କହି ହେବ ନାହିଁ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଶୁଭେନ୍ଦୁ କହିଛନ୍ତି “ଢମଣା ସାପ ଭଲ ଗଛ ଚଢ଼ାଳୀ, ନଡ଼ିଆ ଗଛ ମଧ୍ୟ ଆରାମରେ ଚଢ଼ି ପାରେ । କିନ୍ତୁ, ଭିପୁଲ ଗ୍ରିନ ଆପାର୍ଟମେଣ୍ଟ ରେ ୧୭ ମହଲାକୁ ଏକ ସାପ ଯିବା କିଛି ଛୋଟିଆ କଥା ନୁହେଁ । ସେଇ ଘର ସାମ୍ନାରେ ସିଡି ଅଛି, ତେଣୁ ସିଡ଼ିରେ ମଧ୍ୟ ଚଢ଼ି ଯିବା ସମ୍ଭବ । କିମ୍ବା  ସେଇ ମହଲାରେ ଥିବା କାହା  ଘରକୁ ଯଦି କିଛି ପେଟିରେ କିଛି ଜିନିଷ ଆସିଥିବ, ସେଥିରେ ପଶି ମଧ୍ୟ ଆସିଥାଇ ପାରେ ” । କିନ୍ତୁ, ଲିଫ୍ଟ ରେ ଚଢ଼ି ଏଇ ସାପ କଦାପି ଯାଇ ପାରି ନଥିବ ବୋଲି ଶୁଭେନ୍ଦୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ୨୦୨୩ରେ ମୁମ୍ବାଇରେ ଘାଟକୋପର ସ୍ଥିତ ଏକ ୧୩ ମହଲା କୋଠାର ଛାତ ଉପରକୁ ଏକ ୪ ଫୁଟ ଲମ୍ବର ଅଜଗର ସାପ ଚଢ଼ି ଯାଇଥିଲା ଏବଂ ସାପ ଉଦ୍ଧାରକାରୀ ମାନେ ତାକୁ ଉଦ୍ଧାର କରିଥିଲେ ।

Comments are closed.