ମାଆ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ନିଆରା ଅନୁଭୁତି ଆଣିଥାଏ । ପ୍ରତ୍ୟେକ ମହିଳା ମାଆ ହେବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ମହିଳାମାନଙ୍କ ଗର୍ଭଧାରଣର ଏକ ନିର୍ଦ୍ଦିଷ୍ଟ ବୟସସୀମା ରହିଛି । ତେବେ ଏବେ ଉଗାଣ୍ଡାର ଜଣେ ୭୦ ବର୍ଷୀୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାଙ୍କର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
୭୦ ବର୍ଷିୟା ସାଫିନା ନାମୁକ୍ୱାୟା ନାମ୍ନୀ ବୃଦ୍ଧା ରାଜଧାନୀ ସହର କାମ୍ପାଲା ରେ ରୁହନ୍ତି । ନିକଟରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ସାଫିନା ଓ ଉଭୟ ନବଜାତ ସନ୍ତାନ ସୁସ୍ଥ ଅଛନ୍ତି । ଏହା ଏକ ବିରଳ ଘଟଣା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହାଦ୍ୱାରା ସେ ଆଫ୍ରିକାର ସବୁଠୁ ବୟସ୍କା ଜନନୀର ମାନ୍ୟତା ମଧ୍ୟ ହାସଲ କରିଛନ୍ତି । ପରିଣତ ବୟସରେ ଗର୍ଭଧାରଣ ଓ ପ୍ରସବ ସମେତ ଶିଶୁର ଯତ୍ନ ନେବାପାଇଁ ତାଙ୍କୁ ଦୁର୍ବଳ ବୋଲି ବିବେଚନା କରାଯାଉଥିବା ବେଳେ ଯମଜ ସନ୍ତାନଙ୍କ ମାଆ ହେବା ଘଟଣା ତାଙ୍କୁ ଖୁସିରେ ଅଭିଭୂତ କରିଦେଇଛି ବୋଲି ସାଫିନା କହିଛନ୍ତି ।
୧୯୯୨ ମସିହାରେ ତାଙ୍କର ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ସେତେବେଳକୁ ସାଫିନାଙ୍କର କୌଣସି ସନ୍ତାନ ଜନ୍ମ ହୋଇ ନ ଥିଲେ । ତେବେ ୧୯୯୬ରେ ସାଫିନା ଦ୍ୱିତୀୟ ବିବାହ କରିଥିଲେ । ପରେ ସେ ଗୋଟେ ସନ୍ତାନ ପାଇଁ ଆଶା ରଖିଥିଲେ । ମାତ୍ର ଦ୍ୱିତୀୟ ବିବାହର ବହୁ ବର୍ଷ ଯାଏ ସେ ମାଆ ହେବାରୁ ବଞ୍ଚିତ ହୋଇଥିଲେ । ନିଃସନ୍ତାନ ରହିବାରୁ ତାଙ୍କୁ ଲୋକେ କଟୁ କଥା କହିବା ସହ ଜଣେ ‘ଅଭିଶପ୍ତ ମହିଳା’ ବୋଲି କହୁଥିଲେ । ତେବେ ୨୦୨୦ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ବନ୍ଧୁବାନ୍ଧବମାନଙ୍କ ଟାହିଟାପରାକୁ ବନ୍ଦ କରିଦେଇଥିଲେ । ଏଥର ଯାଆଁଳା ପୁଅ ଓ ଝିଅକୁ ପାଇ ତାଙ୍କ ଖୁସିର ସୀମା ନାହିଁ । ତେବେ ପ୍ରଥମ କନ୍ୟା ବାଦ୍ ଅନ୍ୟ ସନ୍ତାନର ଦାୟିତ୍ୱ ମୁଣ୍ଡାଇବାକୁ କୁଣ୍ଠିତ ଥିବା ତାଙ୍କ ସ୍ୱାମୀ ଏଯାଏ ତାଙ୍କୁ ଦେଖିବାକୁ ଆସି ନ ଥିବାରୁ ସାଫିନା ଦୁଃଖ ପ୍ରକାଶ କରିଛନ୍ତି ।
Comments are closed.