Latest Odisha News

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ ସାମ୍ନାକୁ ଆସି ଯାଇଛି । ତେବେ ସବୁଠାରୁ ବଡ ପ୍ରଶ୍ନ ଏବେ-ଏହି ତିନି ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ?

ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ, ନରେନ୍ଦ୍ର ସିଂହ ତୋମର, ପ୍ରହ୍ଲାଦ ସିଂହ ପଟେଲ, କୈଳାସ ବିଜୟବର୍ଗୀୟଙ୍କ ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛି । ସେପଟେ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଜ୍ୟେତିରାଦିତ୍ୟଙ୍କ ପିଉସୀ ବସୁନ୍ଧରା ରାଜେ ସିନ୍ଧିଆ । ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ପିଉସୀ-ପୁତୁରା ।

ମଧ୍ୟପ୍ରଦେଶରେ କ୍ଷମତାର ଡୋର ଚାରି ଚାରି ଥର ଶିବରାଜଙ୍କ ପାଖରେ ରହିବା ପରେ ବି ବିଜେପି ଏଥର ନିର୍ବାଚନ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷିତ କରି ନାହିଁ । ଦଳ ପୂରା ନିର୍ବାଚନ ମୋଦିଙ୍କ ନାଁରେ ହିଁ ଲଢିଥିଲା । ଏଥିରୁ ଯାହା ଜଣାପଡୁଛି, ଦଳ ମୁଖ୍ୟମନ୍ତ୍ରୀ ଭାବେ ନୂଆ ମୁହଁ ଦେଖାଇବା ଲକ୍ଷ୍ୟ ରଖିଛି । ଅବଶ୍ୟ ମଧ୍ୟପ୍ରଦେଶରେ ବିଜେପି ଯେପରି ଜବରଦସ୍ତ ଫଳ ଦେଖାଇଲା ତାହାର ଶ୍ରେୟ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜଙ୍କୁ ହିଁ ମିଳିବ । ତେଣୁ ସେ ଦୃଷ୍ଟିରୁ ଦେଖିଲେ ମୁଖ୍ୟମନ୍ତ୍ରୀ ଦୌଡରେ ତାଙ୍କ ନାଁ ଆଗରେ ହିଁ ରହିଛି ।

ବିଜେପି ଏଥର ନିର୍ବାଚନରେ ୩ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ଏହାବ୍ୟତୀତ ପାର୍ଟିର ମହାସଚିବ କୈଳାସ ବିଜୟବର୍ଗୀୟ ମଧ୍ୟ ବିଧାନସଭା ନିର୍ବାଚନ ଲଢିଥିଲେ । କୈଳାସ ବିଜୟବର୍ଗୀୟଙ୍କ ସହ ୫ ସାଂସଦ ନିର୍ବାଚନ ଜିତିଛନ୍ତି । ତେଣୁ ଏକଥା ବି ଆଶା କରାଯାଉଛି, ହୁଏତ ଏଥର ମୁଖ୍ୟମନ୍ତ୍ରୀ ଭାବେ ନୂଆ ମୁହଁ ଆସିପାରେ ।

୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ସିନ୍ଧିଆଙ୍କ ସହ ୨୦ରୁ ଅଧିକ କଂଗ୍ରେସ ବିଧାୟକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଜ୍ୟେତିରାଦିତ୍ୟ ସିନ୍ଧିଆ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ହେଲେ ଏଥର ମୁଖ୍ୟମନ୍ତ୍ରୀ ଦୌଡରେ ସିନ୍ଧିଆଙ୍କ ନାଁ ରହିଛି ।

ସେପଟେ ରାଜସ୍ଥାନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲେ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ପଷ୍ଟ ହୋଇନାହିଁ । ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଜନତା ଆକଳନ କରିପାରୁ ନାହାନ୍ତି । ତେବେ ଏହି ଦୌଡରେ ଆଗରେ ଅଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ସେ ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଭାଇ ଆସିଛନ୍ତି ।ଏହାବ୍ୟତୀତ ସାଂସଦ ଦିୟା କୁମାରୀ, ଓମ ବିରଲା, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାବତ ଏବଂ ବାବା ବାଳକନାଥଙ୍କ ନାଁ ମଧ୍ୟ ରହିଛି ।

Comments are closed.