Latest Odisha News

BREAKING NEWS

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ମୋହିନୀୟାଟ୍ଟମ୍‌ରେ ଶିବତତ୍ତ୍ୱ ଓ ଓଡ଼ିଶୀରେ କୃଷ୍ଣ ରସ କଲା ମନ୍ତ୍ରମୁଗ୍ଧ

କୋଣାର୍କ : ଶାସ୍ତ୍ରୀୟ ନୃତ୍ୟରେ ପୌରାଣିକ ପ୍ରସଙ୍ଗର ଅବତାରଣା ଭାବ ଓ ଭକ୍ତିର ସଂଚାର କରେ । ଏହି ଉକ୍ତିର ସତ୍ୟତାକୁ ପ୍ରକାଶ କରିଥିଲା ଅର୍କକ୍ଷେତ୍ର ସୂର୍ଯ୍ୟମନ୍ଦିର ପାଦଦେଶ ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାକୁ ରସମୟ କରିବା ପାଇଁ ମଞ୍ଚ ପ୍ରବେଶ କରିଥିଲେ ମୋହିନୀୟାଟ୍ଟମ୍ ନୃତ୍ୟ ପଟ୍ଟୟସୀ ପଲ୍ଲବୀ କ୍ରିଷ୍ଣନ୍ । କେରଳର ଲସ୍ୟ ଏକାଡ଼େମୀ ଅଫ୍ ମୋହିନୀୟାଟ୍ଟମ୍‌ର ଶିଳ୍ପୀଙ୍କ ସହ ପଲ୍ଲବୀଙ୍କର ପ୍ରଥମ ପ୍ରସ୍ତୁତିରେ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ନମଃ ଶିବାୟ ପଞ୍ଚାକ୍ଷର ଆଧାରରେ ଶିବତତ୍ତ୍ୱ୍ୱର ମଞ୍ଚାୟନ ହୋଇଥିଲା । ଦ୍ୱିତୀୟ ଚରଣରେ ମାଲାୟାଲମ୍ ସାହିତ୍ୟରେ ବର୍ଣ୍ଣିତ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତ ଓ ରୂପସୀ ବାସବଦତ୍ତାଙ୍କ କାହାଣୀକୁ ନେଇ ଉପସ୍ଥାପିତ ହୋଇଥିଲା ନୃତ୍ୟ ସଂରଚନା କରୁଣା । ଏହାକୁ ମଞ୍ଚସ୍ଥ କରିଥିଲେ କେରଳର ସୁପ୍ରସିଦ୍ଧ ନୃତ୍ୟାଙ୍ଗନା ଗଣ ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶୀର ରାଗ-ରସ-ରଙ୍ଗର ପସରା ଧରି ମଞ୍ଚକୁ ଆସିଥିଲେ ସୁବିଖ୍ୟାତ ନୃତ୍ୟ ବିଦୁଷୀ ଦକ୍ଷା ମଶ୍ରୁୱାଲା । କୈସିକି ଡ଼୍ୟାନ୍ସ ଏକାଡ଼େମୀ, ମୁମ୍ବାଇର ଶିଳ୍ପୀଗଣଙ୍କ ପ୍ରସ୍ତୁତିରେ ଥିଲା ଭାରତୀୟ ରାଗ ରାଗିଣୀ ଓ ମାତୃ ଶକ୍ତିର ପ୍ରକାଶ ସମ୍ବଳିତ ରାଗମାଳ । କବି ମନମାଳୀଙ୍କ ରଚନାରୁ ପ୍ରାଣ ସଙ୍ଗିନୀରେ କାଲି ମୁଁ କି ଲାଜେ ବୁଡ଼ିଲିର ଅଭିନୟରେ ରାଧା-କୃଷ୍ଣ ମିଳନର ଶୃଙ୍ଗାରିକ ଅନୁଭବକୁ ପରଶି ଦେଇଥିଲେ ଶିଳ୍ପୀଗଣ । ଅନ୍ତିମ ଲଗ୍ନରେ ଉପନିଷଦ ବର୍ଣ୍ଣିତ ଶାନ୍ତି ମନ୍ତ୍ର ସହ ନୃତ୍ୟରେ ଉପସଂହାର ଆଣିଥିଲେ ଶିଳ୍ପୀମାନେ ।

ଚତୁର୍ଥ ସନ୍ଧ୍ୟାର ଅତିଥି ଭାବେ ଯୋଗ ଦେଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ । ଡଃ. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣିଙ୍କ ସଂଯୋଜନାରେ ପ୍ରସ୍ତୁତ ହୋଇଥିବା ପ୍ରତିଟି ନୃତ୍ୟ ଉପସ୍ଥାପନା ବେଶ ମନଛୁଆଁ ହୋଇଥିଲା । ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଡଃ ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଚତୁର୍ଥ ଦିନରେ ଅତିଥି ଦେବୋଃ ଭବୋଃ ଓ ଜଳବାୟୁ ପରିବର୍ତ୍ତନ ଉପରେ ଶିଳ୍ପିମାନଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶିତ ହୋଇଥିଲା ।

Comments are closed.