Latest Odisha News

BREAKING NEWS

ବଡଦାଣ୍ଡରେ ହେବ ଗ୍ରୀନ୍ କରିଡର ରାସ୍ତା; ବ୍ୟାଟେରୀ ଗାଡ଼ିରେ ଯାତାୟତ କରିବେ ଭକ୍ତ

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଯାତାୟତରେ ସୁବିଧା ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ହେବ ଗ୍ରୀନ୍ କରିଡର ରାସ୍ତା । ଏହି ରାସ୍ତାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବସ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମାଧ୍ୟମରେ ଭକ୍ତମାନେ ଯାତାୟତ କରିପାରିବେ । ଏହା ଦ୍ବାରା ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଯାତାୟତ ସହଜ ହେବା ସହ ବଡ଼ଦାଣ୍ଡରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ମଧ୍ୟ ସମାଧାନ ହେବ । ଏହି ରାସ୍ତାକୁ ଶ୍ରୀଦାଣ୍ଡ ନାମରେ ନାମିତ କରିବା ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଥିବା ଜଣାପଡିଛି । ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଏହି ରାସ୍ତା ମଧ୍ୟ ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ ବୋଲି ଯୋଜାନା ରହିଛି ।

ତେବେ ଏହି ନୂଆ ରାସ୍ତା ପାଇଁ ସମୁଦାୟ ୧.୧୪୪୮ ଏକର ଜମି ଅଧିଗ୍ରହଣ ହେବାସହ ସମୁଦାୟ ୮୪ ଟି ପରିବାର ପ୍ରଭାବିତ ହେବେ ବୋଲି ସର୍ଭେରୁ ଜଣାପଡିଛି । ପୁରୀ ଚୂଡଙ୍ଗ ସାହିର ୬୬ ଟି ପରିବାର, ଦାଣ୍ଡିମାଳ ସାହିର ୧୮ ଟି ପରିବାର ଏହି ପ୍ରକଳ୍ପ ପାଇଁ ନିଜ ସାତ ପୁରୁଷର ଭିଟାମାଟି ତ୍ୟାଗ କରିବେ । ନିର୍ମାଣଧୀନ ନୂତନ ଶ୍ରୀଦାଣ୍ଡ ପାଇଁ ପ୍ରାୟ ୬୮ ପ୍ରତିଶତ ଜଗନ୍ନାଥ ମହାପ୍ରଭୁଙ୍କ ଜମି, ସରକାରୀ ଜମି ଓ ୩୨ ପ୍ରତିଶତ ଘରୋଇ ଜମି ଅଧିଗ୍ରହଣ କରାଯିବ । ଚୂଡଙ୍ଗ ସାହିରୁ 0.୮୭୯୮ ଏକର ଓ ଦାଣ୍ଡିମାଳ ସାହିରୁ ପ୍ରାୟ ୦.୨୬୫ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ । ସେପଟେ ନୂତନ ରାସ୍ତା ପାଇଁ ବିସ୍ଥାପିତ ସ୍ଥାନୀୟ ବାସିନ୍ଦା ମାନେ ଜମି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବାବେଳେ ପ୍ରଶାସନ ନିକଟରେ ଉପଯୁକ୍ତ କ୍ଷତିପୂରଣ ପାଇଁ ଅନେକ ଦାବି ରଖିଛନ୍ତି ।

ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଠାରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ପ୍ରାୟ ୮୦୦ ମିଟର ରାସ୍ତା ଫିଟିବ । ରାସ୍ତାର ଚଉଡ଼ା ପ୍ରାୟ ୪୦ ଫୁଟ ରହିବ । ପରିବାରର ପ୍ରତିଟି ୧୮ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ସରକାରଙ୍କ RANDR ପଲିସି ଅନୁଯାୟୀ ୫୦ ଲକ୍ଷ ଟଙ୍କା ଓ ଜମିର ଡେସିମିଲ୍ ପିଛା ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ବେଳେ ସାତପୁରୁଷର ଭିଟାମାଟି ହରାଇବାକୁ ଥିବାରୁ ଆଖିରୁ ଲୁହ ଶୁଖୁନଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ସଂଯୋଗ କରୁଥିବା ବ୍ରୀଜ୍ କୁ ଶ୍ରୀସେତୁ ନାମକରଣ କରାଯାଇଥିବା ବେଳେ ବଡ଼ଦାଣ୍ଡ ନିକଟରେ ଆଉ ଏକ ରାସ୍ତା ହେଉଥିବାରୁ ଏହାକୁ ଶ୍ରୀଦାଣ୍ଡ ନାମରେ ନାମିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଛି । ତେବେ ଏହି ନାମକରଣ ଚୁଡାନ୍ତ ହୋଇନଥିବା ବେଳେ ସବୁ ପକ୍ଷଙ୍କ ସହ ଆଲୋଚନା କରାଯାଇ ଏହି ରାସ୍ତାର ନାମକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed.