Latest Odisha News

ସଂସଦରେ ବିଜେଡିର ଆଦିବାସୀ ପ୍ରୀତିକୁ ଦୋମୁହାଁ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ସଂସଦରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଆଦିବାସୀଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଗୁରୁବାର ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହା ବିଜେଡିର ଦୋମୁହାଁ ନୀତି କହି କଡା ସମାଲୋଚନା କରିଛନ୍ତି।

ନିକଟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ବିଜୟୀ ହୋଇଥିବା ବେଳେ ଆଦିବାସୀ ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ରାଜ୍ୟରେ ଶାସକ ଦଳ ଭୟଭୀତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। କାରଣ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ଆଦିବାସୀ ଭୋଟ୍ ହାତେଇବାରେ ସଫଳ ହୋଇଛି। ଯାହାକି ପୂର୍ବରୁ କେସିଆରଙ୍କ ନେତୃତ୍ବାଧୀନ ବିଆରଏସର ଭୋଟ୍ ବ୍ୟାଙ୍କ ଥିଲା।

ଏବେର ବିଧାନସଭା ନିର୍ବାଚନର ଭୋଟ୍ କେଉଁ ଆଧାରରେ ଯାଇଛି ବୋଲି ଅନୁଶୀଳନ କରିବା ପରେ ବିଜେଡି ଭୟଭୀତ ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଆଦିବାସୀ ଭୋଟ ଆମ ଆଡକୁ ଢଳିପାରେ ବୋଲି ସେମାନେ ଚିନ୍ତା କରୁଛନ୍ତି।

ଆଦିବାସୀ ଜମି ହସ୍ତାନ୍ତର ନିୟମରେ ସଂଶୋଧନ ପାଇଁ ବିଜେଡି ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରି କଂଗ୍ରେସ ମଧ୍ୟ ଅନୁରୂପ ସ୍ୱର ଉତ୍ତୋଳନ କରିଛି।

ଯଦି ସେମାନେ ଆଦିବାସୀଙ୍କ ବିକାଶ ପାଇଁ ଚିନ୍ତା କରୁଛନ୍ତି, ତେବେ ରାଜ୍ୟରେ ପେସା ଆଇନ ଲାଗୁ କରନ୍ତୁ। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଏହା ସ୍ପଷ୍ଟ ଯେ ସେମାନେ ଆଦିବାସୀ ଭୋଟ୍ ହରାଇବାକୁ ଭୟ କରୁଛନ୍ତି। ନିକଟରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଦିବାସୀ ନେତା ଜୟରାମ ପାଙ୍ଗୀ କଂଗ୍ରେସରେ ଯୋଗ ଦେଇଥିଲେ। ସେ କହିଥିଲେ ଆଦିବାସୀ ଜମି ଅଣ ଆଦିବାସୀକୁ ହସ୍ତାନ୍ତର କରିବାକୁ ହେଲେ ତାଙ୍କୁ ସାମ୍ନା କରିବାକୁ ହେବ।

ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ମାଧ୍ୟମରେ ବିଜେଡି ନିଜ ପକ୍ଷ ରଖି ସସ୍ମିତ ପାତ୍ରଙ୍କ ବୟାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ଦର୍ଶାଇଛି। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅତୀତର ଉଦ୍ୟମର ଉଦାହରଣ ଦେଇ ସେ ଆଦିବାସୀ କଲ୍ୟାଣ ପାଇଁ ଦଳର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ।

ତେବେ ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ବିଜେଡିର ଏହି ନିଷ୍ପତ୍ତି ପ୍ରକୃତରେ ଆଦିବାସୀ ଭୋଟରଙ୍କୁ ଦୂରେଇ ଦେଇପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି।

ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାଠାରୁ ଆଦିବାସୀଙ୍କ ସମର୍ଥନ ହାସଲ କରିବାରେ ବିଜେପି ଫାଇଦାରେ ରହିବା ଭଳି ମନେ ହେଉଛି ବୋଲି କୁହାଯାଉଛି। କାରଣ ଆଦିବାସୀ ଭୋଟ୍ ହରାଇବା ନେଇ ବିଜେଡି ଯେଉଁ ଆଶଙ୍କା କରୁଛି ଏହି ଯୁ୍କ୍ତିକୁ ଖାରଜ କରିହେବନି, ଯାହାର ପ୍ରମାଣ ନିକଟରେ ଉପରୋକ୍ତ 3ଟି ରାଜ୍ୟରେ ବିଜେପିର ବିଜୟ।

ଟ୍ରାଇବାଲ ଲ୍ୟାଣ୍ଡ ଟ୍ରାନ୍ସଫର ରେଗୁଲେସନ ଓ  ସସ୍ମିତ ପାତ୍ରଙ୍କ ବୟାନକୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଓଡିଶାରେ ରାଜନୈତିକ ନିଆଁ ଲଗାଇଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ଭୋଟବ୍ୟାଙ୍କ ପାଇଁ ତିନି ପ୍ରମୁଖ ଦଳ ଅଣ୍ଟା ଭିଡିଛନ୍ତି। ଆଗାମୀ ନିର୍ବାଚନରେ ଏହି ପ୍ରସଙ୍ଗ କେନ୍ଦ୍ରରେ ରହିବ କାରଣ ଦଳଗୁଡିକ ଆଦିବାସୀ ସମ୍ପ୍ରଦାୟର ପସନ୍ଦ ହାସଲ କରିବା ପାଇଁ ପ୍ରତିଯୋଗିତା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାର ଟ୍ରାଇବାଲ ଲ୍ୟାଣ୍ଡ ଟ୍ରାନ୍ସଫର ରେଗୁଲେସନ ବିଲକୁ ସ୍ଥଗିତ ରଖି ତର୍ଜମା କରୁଛନ୍ତି।

Comments are closed.