ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କେହି ଆସଂତିନାହିଁ ଦେଖି
ଲୋକଟି ଥକିଗଲାଣି କି
କିଂବା ଘରେ ରହିଛି ଲୁଚି
ଶବ୍ଦ-ମାଳିକା ଗୁଂଥୁଅଛି
ଦେହେ, ମନେ ଥିଲେ ହେଁ ଶକ୍ତି
କମିଗଲାଣି ଅନୁରକ୍ତି
ସଭା ଲାଗୁନି ମନଲୋଭା
ତେଣୁ ହେଉନି ସେଠି ଉଭା
ପାଠ ଲେଖୁଛିଁ ଶବ୍ଦ ଯୋଡ଼ି
ପ୍ରତ୍ୟହ ଅଳ୍ପ, ବେଶି ଧାଡ଼ି
ମୋ ପାଶେଁ ରହିଥାଂତି ପଡ଼ି
କେହି ତ ପାରଂତିନି ପଢ଼ି
କେ ଶୁଣେ ଏଠି କାହା କଥା
କେ ବୁଝେ କାହା ମନୋବ୍ୟଥା
ନିଜକୁ ପଚାରି ଅଯଥା
ଧରେଁନି ଅନ୍ୟ ଏକ ପଂଥା
ନୂଆ ପ୍ରକାରେ କଲେ କାମ
ପାଏଁ ମୁଁ ଭିନ୍ନ ପରିଣାମ
ଚଂଦନ କାଠ ପରି ଘୋରି
ହୋଇ ମୁଁ ଯିବି ନିଶ୍ଚେ ସରି
ନୂଆ ଢଂଗରେ କାମ କରି
ଯଦି ବା ଯାଏଁ କେବେ ହାରି
ପାଏଁ ନୂତନ ଅନୁଭୂତି
ତହିଁରୁ ଘଟେ ନବୋନ୍ନତି
ନୂତନତାକୁ ମିଛେ ଡରି
କାମରୁ ଯାଇନି ବାହାରି
କୌଶଳ ଓ ପଦ୍ଧତି ଶିଖେଁ
ସଫଳତାର ସ୍ବାଦ ଚାଖେଁ
ଜୀବାଂତ ପରେ ହୋଇ ସ୍ମୃତି
ପାଇବି ନୂଆ ପରିଚିତି
ତାହା ବି ହୋଇଯିବ ମ୍ଳାନ
ଏହା ତ ସଂସାରୀ ଜୀବନ
ବଂଧୁତା ହେଲେ ହେଁ ଅସ୍ଥାୟୀ
ମୁଁ ତା’ର ହିତକାରୀ ହୋଇ
ଦୀର୍ଘକାଳ ପାରିବି ରହି
ଲେଖିଚାଲିବି ଆଉ ବହି
ବହି ଯେଣୁ ଦେଇଛି ବୋଧ
କରୁଛିଁ ଋଣ ପରିଶୋଧ
ଲିଖନ କାର୍ଯ ଚଳୁଥାଉ
ଜ୍ଞାନର କ୍ଷେତ୍ର ବୃଦ୍ଧି ହେଉ
ଅଛଂତି ଯେତେ ଭାଷା-ଭାଇ
ସଭିଏଁ ଦୃଢ଼ମନା ହୋଇ
ଯୋଗାଂତୁ ଭାଷାକୁ ସୁରକ୍ଷା
କରୁଛିଁ ସହଯୋଗ ଭିକ୍ଷା
ଯାହା ଦ୍ବାରା ହେଉଛି ଯାହା
ପ୍ରତି ଦିନ କରିଲେ ତାହା
ଦିଶିବ ଭାଷାର ଉନ୍ନତି
ହେବନି ତିଳେ ହେଲେ କ୍ଷତି
Comments are closed.