ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସଭିଏଁ ଯେଣୁ ସର୍ବଜ୍ଞାନୀ
କେହି ବି କାହାକୁ ନ ଶୁଣି
ନିଅଂତି ନିଜସ୍ୱ ନିର୍ଣୟ
ମତକୁ ମିଳେ ପରାଜୟ
ଅନେକ ବୁଦ୍ଧିଆଳ ଲୋକ
ହୁଅଂତି କ୍ଷମତା ସ୍ତାବକ
ମନରେ ରଖି ଯଶ-ଭୋକ
ତଡ଼ଂତି ମନରୁ ବିବେକ
ବିବେକ-ଶୂନ୍ୟ ଏକ ମନ
କରେ ଯେପରି ସମାଧାନ
ତହିଁରୁ ସମସ୍ୟା ଉତ୍ପନ୍ନ
ହୁଏ ଅବଶ୍ୟ ପ୍ରତି କ୍ଷଣ
ହୋଇଲେ ସମସ୍ୟା-ଆକ୍ରାଂତ
ବୁଦ୍ଧିଆ ବି ହୋଇ ବିଭ୍ରାଂତ
କରେ ଯାହା ବି ଅଳ୍ପ କିଛି
ସହଜେ ପାରେ ତାହା ପୋଛି
ଯା’ ହୁଏ ବେଶି ବ୍ୟବହୃତ
କରେନି ସ୍ବଭାଷାର ହିତ
କାମକୁ କରିଲେ ଉପେକ୍ଷା
ଭାଷାକୁ ମିଳେନି ସୁରକ୍ଷା
ଦେଖିଲେ କେତେଟା ଦୃଷ୍ଟାଂତ
ଜାଣିବା ଲିପିଗତ ସତ୍ୟ
କିପରି ସମସ୍ୟା-କାରକ
ବୁଝଂତିନାହିଁ ବେଶି ଲୋକ
ଅକ୍ଷର ଶିକ୍ଷା କଷ୍ଟକର
ପେଟ ଭିତରେ ରହେ ଗାର
ଦ୍ଧ, ନ୍ଧ, ମ୍ପ, ମ୍ଫ, ଷ, କ୍ଷ ଆଉ ନ୍ଧ୍ର
ଦେଖିବା ଏବେ ବାରଂବାର
ଲେଖିବା ଭିନ୍ନ ପ୍ରକାରର
କଂପନ, ଗୁଂଫନ ଓ ରଂଧ୍ର
କମ୍ପନ, ଗୁମ୍ଫନ ଓ ରନ୍ଧ୍ର
କି ରୂପ ଦିଶେ ପରିଷ୍କାର?
ବର୍ଦ୍ଧିତ ଓ ଊର୍ଦ୍ଧ୍ୱ ନ ଲେଖି
ବର୍ଧିତ,ଊର୍ଧ୍ବ ଦେଲେ ଲେଖି
ଦେଖୁଁ ତ ସ୍ପଷ୍ଟ ଦିଶୁନି କି ?
ସେପରି ଲେଖିଥାଉଁ ରଖି
ଅକ୍ଷର ହେଲେ ରେଖାମୟ
ସ୍ପଷ୍ଟତା ହୁଏ ଆପେ କ୍ଷୟ
ବକ୍ତୃତା ନ ଲେଖି, ଭାଷଣ
ଲେଖିଲେ ଘଟିବ ଉତ୍ଥାନ
ଉଚ୍ଛୃଙ୍ଖଳ କି ବିଶୃଂଖଳ
ଯେଉଁଟି ଦିଶୁଛି ନିର୍ମଳ
ତାହା ହିଁ ଲେଖିବାକୁ ମନା
କାହିଁକି କରୁଁ, ନାହିଁ ଜଣା
ଯାହା ଚଳୁଛି ଆଜିକାଲି
ଚିରକାଳ ଚଳିବ ବୋଲି
ଯେହେତୁ ନ ଥାଏ ନୈଶ୍ଚିତ୍ୟ
ପରିବର୍ତିତ ହୁଏ ସତ୍ୟ
Comments are closed.