ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ : ‘ବ୍ରେନ ଡ୍ରେନ’କୁ ‘ବ୍ରେନ ଗେନ୍’ ରେ ରୂପାନ୍ତରିତ କରିବା ପାଇଁ ଆହ୍ୱାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ‘ବ୍ରେନ ଡ୍ରେନ’କୁ ‘ବ୍ରେନ ଗେନ୍’ ରେ ରୂପାନ୍ତରିତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଦେଶରେ ଏବେ ଚାଲିଥିବା ବର୍ଷା ସମ୍ପର୍କରେ କହିଛନ୍ତି – ଆଜିକାଲି ଅନେକ ସ୍ଥାନରେ ଭଲ ବର୍ଷାହେବାର ଖବର ଆସୁଛି । କେତେକ ସ୍ଥାନରେ ଅଧିକ ବର୍ଷା ହେବାଯୋଗୁଁ ଚିନ୍ତାଜନକ ଖବର ମଧ୍ୟ ଆସୁଛି । ଆହୁରି ମଧ୍ୟ କେତେକ ସ୍ଥାନର ଲୋକମାନେ ଆଜି ବି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ଭାରତର ବିଶାଳତା ଓ ବିବିଧତା ଭିତରେ କେବେ କେବେ ବର୍ଷା ମଧ୍ୟ ପସନ୍ଦ ବା ନାପସନ୍ଦର ରୂପ ଦେଖାଇଦେଉଛି । କିନ୍ତୁ ଆମେ ବର୍ଷାକୁ କ’ଣ ଦୋଷଦେବା? ମନୁଷ୍ୟ ହିଁ ପ୍ରକୃତି ସହିତ ସଂଘର୍ଷ କରିବାର ରାସ୍ତା ବାଛିନେଇଛି ଆଉ ତା’ରି ଫଳସ୍ୱରୂପ କେବେ କେବେ ପ୍ରକୃତି ଆମ ଉପରେ କ୍ରୋଧିତ ହୋଇଉଠୁଛି । ଏଥିପାଇଁ ଆମମାନଙ୍କର ଦାୟିତ୍ୱ ହେଲା – ଆମେମାନେ ପ୍ରକୃତିପ୍ରେମୀ ହେବା ଉଚିତ, ଆମେମାନେ ପ୍ରକୃତିର ରକ୍ଷକ ଓ ସଂବର୍ଦ୍ଧକ ହେବା ଉଚିତ ଯାହାଫଳରେ ପ୍ରକୃତି ଓ ପ୍ରକୃତିଦତ ଜିନିଷଗୁଡ଼ିକ ମଧ୍ୟରେ ଭାରସାମ୍ୟ ସ୍ୱତଃ ଆସିଯିବ ।
ଏଇ କିଛିଦିନ ତଳେ ଏହିଭଳି ଏକ ପ୍ରାକୃତିକ ବିପତି ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲା, ମଣିଷର ମନକୁ ବିଚଳିତ କରିଦେଇଥିଲା । ଆପଣମାନେ ସମସ୍ତେ ଟି.ଭି.ରେ ଦେଖିଥିବେ ଯେ ଥାଇଲାଣ୍ଡର ୧୨ ଜଣ କିଶୋର ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍ ବୁଲିବା ପାଇଁ ଗୁମ୍ଫା ଭିତରକୁ ଗଲେ । ସେଇ ଗୁମ୍ଫା ଭିତରକୁ ଯାଇ ବୁଲି ଆସିବାରେ ସାଧାରଣତଃ କିଛି ଘଂଟା ସମୟ ଲାଗେ । କିନ୍ତୁ ଭାଗ୍ୟକୁ ସେଦିନ ପ୍ରକୃତିର ଆଉକିଛି ଇଚ୍ଛା ଥିଲା । ସେମାନେ ଯେତେବେଳେ ଗୁମ୍ଫାର ଅନେକ ଭିତରକୁ ଚାଲିଗଲେ, ଅଚାନକ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫାର ପ୍ରବେଶପଥରେ ପାଣି ଜମିଗଲା ଏବଂ ସେମାନଙ୍କର ବାହାରିବାର ରାସ୍ତା ବନ୍ଦ ହୋଇଗଲା । କୌଣସି ରାସ୍ତା ନ ମିଳିବାରୁ ସେମାନେ ଗୁମ୍ଫା ଭିତରେ ଗୋଟିଏ ଅଳ୍ପ ଉଚ୍ଚସ୍ଥାନରେ ଅଟକି ଯାଇଥିଲେ । ସେ ପୁଣି ଦିନେ ଦୁଇଦିନ ନୁହେଁ, ଅଠର ଦିନ ପର୍ଯ୍ୟନ୍ତ ଅଟକି ରହିଲେ । ଆପଣମାନେ କଳ୍ପନା କରିପାରୁଥିବେ – ଏଇ କିଶୋର ବୟସରେ ସେମାନେ ଯେତେବେଳେ ସାକ୍ଷାତ୍ ମୃତ୍ୟୁର ଛାୟାରେ ସମୟ କାଟୁଥିଲେ ସେମାନଙ୍କ ଜୀବନର ସେଇ ପ୍ରତିଟି ମୁହୂର୍ତ କିଭଳି କାଟିଥିବେ । ଏକପକ୍ଷରେ ସେମାନେ ସଂକଟ ସହିତ ଯୁଦ୍ଧ କରୁଥିଲେ ଆଉ ଏ ପାଖରେ ସମଗ୍ର ବିଶ୍ୱର ମାନବତା ଏକତ୍ରିତ ହୋଇ ଇଶ୍ୱରଦତ ମାନବୀୟ ଗୁଣ ପ୍ରଦର୍ଶିତ କରିଥିଲା । ସାରା ବିଶ୍ୱରେ ଏହି ବାଳକମାନଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରାଯାଉଥିଲା । ପିଲାମାନେ କେଉଁଠି କିଭଳି ଭାବରେ ଅଛନ୍ତି ଆଉ ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେ ଦିଗରେ ସବୁ ପ୍ରକାର ଚେଷ୍ଟା କରାଯାଉଥିଲା ।
ଯଦି ଉଦ୍ଧାର କାର୍ଯ୍ୟ ଠିକ୍ ସମୟରେ କରାଯାଇନଥାନ୍ତା ତେବେ ସେମାନଙ୍କୁ ଏ ବର୍ଷାଋତୁରେ କିଛିମାସ ପର୍ଯ୍ୟନ୍ତ ଉଦ୍ଧାର କରିବା ସମ୍ଭବ ହୋଇନଥାନ୍ତା । ଯାହାହେଉ ଯେତେବେଳେ ଭଲ ଖବର ଆସିଲା ସେତେବେଳେ ସାରା ବିଶ୍ୱର ଲୋକମାନେ ଖୁସି ହେଲେ, ସନ୍ତୋଷ ଲାଭ କଲେ । କିନ୍ତୁ ଏହି ସମଗ୍ର ଘଟଣାକ୍ରମକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ମୋର ଇଚ୍ଛାହୁଏ ଯେ ଏହି ଅଭିଯାନ କେମିତି ଚାଲିଲା । ପ୍ରତ୍ୟେକ ସ୍ତରରେ ଏଥିରେ ଲାଗିଥିବା ଲୋକମାନେ ତାଙ୍କର ଦାୟିତ୍ୱ ଯେଉଁଭଳି ପାଳନ କଲେ ତାହା ଅଦ୍ଭୁତ ଥିଲା । ସରକାର ହୁଅନ୍ତୁ, ଏ ପିଲାମାନଙ୍କର ପିତାମାତା ହୁଅନ୍ତୁ, ପରିବାର ଲୋକ ହୁଅନ୍ତୁ, ଗଣମାଧ୍ୟମ ହେଉ ବା ଦେଶର ନାଗରିକ ହୁଅନ୍ତୁ – ସମସ୍ତେ ଶାନ୍ତି ଓ ଧୈର୍ଯ୍ୟର ଅଦ୍ଭୁତ ଉଦାହରଣ ପ୍ରସ୍ତୁତ କଲେ । ସମସ୍ତ ଲୋକ ଗୋଟିଏ ଟିମ୍ ଭଳି ଏହି ଲକ୍ଷ୍ୟପଥରେ ଏକତ୍ରିତ ହୋଇ ଲାଗିରହିଥିଲେ । ସମସ୍ତଙ୍କର ସନ୍ତୁଳିତ ବ୍ୟବହାର ମୋ ମତରେ ଏକ ଶିଖିବାର ବିଷୟ, ବୁଝିବାର ବିଷୟ । ତାଙ୍କର ବାପା-ମାଆମାନେ ଦୁଃଖି ହୋଇନଥିବେ ବା ସେମାନଙ୍କର ଆଖିରୁ ଲୁହ ବୋହିନଥିବ – ସେକଥା ନୁହେଁ । କିନ୍ତୁ ଧୈର୍ଯ୍ୟ, ସଂଯମ ଆଉ ସାରା ସମାଜ ଯେଉଁ ଶାନ୍ତଚିତ ବ୍ୟବହାର ପ୍ରଦର୍ଶନ କଲା – ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଅଟେ । ଏହି ସମଗ୍ର ଅଭିଯାନରେ ଥାଇଲାଣ୍ଡ ନୌବାହିନୀର ଜଣେ ଯୱାନକୁ ପ୍ରାଣବଳୀ ଦେବାକୁ ପଡ଼ିଲା । ଏତେ କଠିନ ପରିସ୍ଥିତି ଭିତରେ, ପାଣିରେ ଭର୍ତି ହୋଇଥିବା ଗୋଟିଏ ଅନ୍ଧକାର ଗୁମ୍ଫା ଭିତରେ ସେମାନେ ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟ କରିଥିଲେ ମଧ୍ୟ ଆଶା ତ୍ୟାଗ କରିନଥିଲେ – ଏହି କଥାରେ ସାରା ବିଶ୍ୱ ଆଜି ଆଶ୍ଚର୍ଯ୍ୟଚକିତ । ଏଥିରୁ ପ୍ରମାଣିତ ହୁଏ ଯେ – ଯେତେବେଳେ ସମଗ୍ର ମାନବିକତା ଏକତ୍ରିତ ହୁଏ ସେତେବେଳେ ଅଦ୍ଭୁତ ଘଟଣା ସଂଘଟିତ ହୁଏ । ଖାଲି ଏତିକି ଜରୁରୀ ଯେ ଆମେ ଶାନ୍ତ ଏବଂ ସ୍ଥିର ଚିତରେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନଦେବା ଆଉ ଲକ୍ଷ୍ୟପ୍ରାପ୍ତି ପାଇଁ କାମ କରିଚାଲିବା ।
ଏଇ କିଛିଦିନ ତଳେ ଆମ ଦେଶର ଲୋକପ୍ରିୟ କବି ନୀରଜଜୀ ଆମମାନଙ୍କୁ ଛାଡ଼ି ଚାଲିଗଲେ । ଆଶା, ଭରସା, ଦୃଢ଼ସଂକଳ୍ପ ଓ ଆତ୍ମବିଶ୍ୱାସ ନୀରଜଙ୍କର ବିଶେଷତ୍ୱ ଥିଲା – ଆମେ ଭାରତବାସୀମାନଙ୍କୁ ମଧ୍ୟ ନୀରଜଜୀଙ୍କର ପ୍ରତ୍ୟେକ କଥା ଶାନ୍ତି ଓ ପ୍ରେରଣା ଦେଇପାରିଛି ।
ବର୍ତମାନ ଯେତେବେଳେ ବି କଲେଜ ସିଜନର ଚର୍ଚ୍ଚା ଚାଲିଛି, ମୁଁ ସମାଚାରରୁ ଦେଖୁଥିଲି, କିପରି ମଧ୍ୟପ୍ରଦେଶର ଏକ ଅତ୍ୟନ୍ତ ଗରିବ ପରିବାରର ଛାତ୍ର ଆଶାରାମ ଚୌଧୁରୀ ନିଜ ଜୀବନର ଜଟିଳ ପରିସ୍ଥିତିର ମୁକାବିଲା କରି ସଫଳତା ପ୍ରାପ୍ତ କରିଛନ୍ତି । ସେ ଯୋଧପୁର ଏମ୍ସ ର ଏମବିବିଏସ ପାଇଁ ପରୀକ୍ଷାରେ ନିଜର ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇପାରିଛନ୍ତି । ତାଙ୍କ ବାପା ଆବର୍ଜନା ଗୋଟେଇବା କାମକରି ନିଜ ପରିବାରର ପ୍ରତିପୋଷଣ କରନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏପରି ଅନେକ ଛାତ୍ର ଅଛନ୍ତି ଯେଉଁମାନେ ଗରିବ ପରିବାରରୁ ଆସି ପ୍ରତିକୂଳ ପରିସ୍ଥିତି ସତ୍ୱେ ନିଜ ନିଜର କଠିନ ପରିଶ୍ରମ ଓ ନିଷ୍ଠା ଦ୍ୱାରା କିଛି ଏପରି ଚମକ୍ରାର କରି ଦେଖାଇଛନ୍ତି ଯାହା ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ସେ ଦିଲ୍ଲୀର ପ୍ରିନ୍ସକୁମାର ହୁଅନ୍ତୁ, ଯାହାଙ୍କ ପିତା ଡିଟିସି ରେ ବସ୍ ଚାଳକ, କିମ୍ବା କଲକତାର ଅଭୟ ଗୁପ୍ତା ହୁଅନ୍ତୁ, ଯିଏକି ଫୁଟ୍ପାଥ ଉପରେ ବସି ରାସ୍ତାର ଆଲୋକରେ ନିଜର ପାଠପଢ଼ା କରିଥିଲେ । ଅହମ୍ମଦାବାଦର ଝିଅ ଆଫରିନ୍ ଶେଖ୍ ହୁଅନ୍ତୁ ଯାହାଙ୍କ ପିତା ଅଟୋରିକ୍ସା ଚଲାନ୍ତି କିମ୍ବା ନାଗପୁରର ଝିଅ ଖୁସୀ ହୁଅନ୍ତୁ, ଯାହାଙ୍କ ପିତା ମଧ୍ୟ ସ୍କୁଲବସ୍ର ଚାଳକ କିମ୍ବା ହରିୟାଣାର କାର୍ତିକ, ଯାହାଙ୍କ ପିତା ଜଣେ ଚୌକିଦାର ଅଟନ୍ତି କିମ୍ବା ଝାଡ଼ଖଣ୍ଡର ରମେଶ ସାହୁ ଯାହାଙ୍କ ପିତା ଇଟା ଭାଟିରେ ଦିନ ମଜୁରିଆ ଭାବେ କାମ କରନ୍ତି । ନିଜେ ରମେଶ ମଧ୍ୟ ମେଳାରେ ଖେଳଣା ବିକ୍ରି କରୁଥିଲେ । ସେହିପରି ଗୁଡ଼ଗାଁଓର ଦିବ୍ୟାଙ୍ଗ ବାଳିକା ଅନୁଷ୍କା ପାଣ୍ଡା, ଯିଏ ଜନ୍ମରୁ ହିଁ ଝକ୍ଟ୍ରସଦ୍ଭବକ୍ଷ ଗଙ୍କଗ୍ଦମଙ୍କକ୍ଷବକ୍ସ ଇଗ୍ଧକ୍ସକ୍ଟକ୍ଟ୍ରଷଚ୍ଚ ନାମକ ଏକ ବଂଶଗତ ରୋଗରେ ପୀଡ଼ିତ – ଏମାନେ ସମସ୍ତେ ନିଜ ନିଜର ଦୃଢ଼ସଂକଳ୍ପ ଓ ସାହସ ଦ୍ୱାରା ପ୍ରତିଟି ବାଧାବିଘ୍ନକୁ ଅତିକ୍ରମ କରି ଅସାଧାରଣ ସଫଳତା ପ୍ରାପ୍ତ କରିପାରିଲେ । ଆମର ଚତୁଃପାଶ୍ୱର୍ରେ ମଧ୍ୟ ଏପରି ଅନେକ ଦୃଷ୍ଟାନ୍ତ ମିଳିବ ।
ଇଂରେଜ ଶାସକମାନଙ୍କୁ ସେମାନଙ୍କ ଭୁଲ୍ର ପ୍ରତିବିମ୍ବ ଦେଖାଇବାର ଶକ୍ତି ଏବଂ ବୁଦ୍ଧିମତା ତାଙ୍କଠାରେ ଥିଲା । ଇଂରେଜମାନେ ତିଳକଙ୍କୁ ଏତେ ଭୟ କରୁଥିଲେ ଯେ ୨୦ ବର୍ଷ ମଧ୍ୟରେ ସେମାନେ ତିନିଥର ତାଙ୍କ ଉପରେ ରାଜଦ୍ରୋହ ଅଭିଯୋଗ ଆଣିବାକୁ ଚେଷ୍ଟା କଲେ । ଏହା କୌଣସି ଛୋଟ କଥା ନୁହେଁ । ମୁଁ ଲୋକମାନ୍ୟ ତିଳକ ଓ ଅହମଦାବାଦଠାରେ ରହିଥିବା ତାଙ୍କର ଗୋଟିଏ ପ୍ରତିମୂର୍ତି ସହ ଜଡ଼ିତ ଗୋଟିଏ ରୁଚିକର ଘଟଣା ଆଜି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଚାହୁଁଛି । ଅକ୍ଟୋବର ୧୯୧୬ରେ ଅର୍ଥାତ ଆଜିକୁ ପ୍ରାୟ ଶହେ ବର୍ଷ ପୂର୍ବେ ଲୋକମାନ୍ୟ ତିଳକଜୀ ଯେତେବେଳେ ଅହମ୍ମଦାବାଦ ଆସିଥିଲେ ସେତେବେଳେ ୪୦,୦୦୦ରୁ ଅଧିକ ଲୋକ ସେଠାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତାଙ୍କର ଏହି ଯାତ୍ରା ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କସହ ଭାବବିନିମୟର ସୁଯୋଗ ପାଇଥିଲେ ।
ସର୍ଦ୍ଦାର ପଟେଲ ଲୋକମାନ୍ୟ ତିଳକ ଜୀଙ୍କ ଦ୍ୱାରା ଅତ୍ୟଧିକ ପ୍ରଭାବିତ ଥିଲେ । ୧୯୨୦ ଅଗଷ୍ଟ ୧ ତାରିଖରେ ଯେତେବେଳେ ଲୋକମାନ୍ୟ ତିଳକଙ୍କ ପରଲୋକ ଘଟିଲା ସେତେବେଳେ ସର୍ଦ୍ଦାର ପଟେଲ ଅହମ୍ମଦାବାଦରେ ତାଙ୍କର ଗୋଟିଏ ସ୍ମୃତିସ୍ଥଳ ନିର୍ମାଣ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅହମଦାବାଦ ପୌରନିଗମର ମେୟର ନିର୍ବାଚିତ ହେଲେ । ସେ ସଙ୍ଗେ ସଙ୍ଗେ ଲୋକମାନ୍ୟ ତିଳକଙ୍କ ସ୍ମୃତିସ୍ଥଳ ନିର୍ମାଣ ପାଇଁ ଭିକ୍ଟୋରିଆ ଗାର୍ଡେନକୁ ବାଛିଲେ ଯାହା ଇଂଲଣ୍ଡର ମହାରାଣୀଙ୍କ ନାମରେ ନାମିତ ଥିଲା । ଇଂରେଜମାନେ ଏଥିରେ କ୍ଷୁବ୍ଧ ହେବା ସ୍ୱାଭାବିକ ଥିଲା । ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେବାପାଇଁ ବାରମ୍ବାର ମନାକଲେ । କିନ୍ତୁ ସର୍ଦ୍ଦାର ସାହେବ ତ ସର୍ଦ୍ଦାର ସାହେବ ଥିଲେ । ସେ ତାଙ୍କ କଥାରେ ଅଟଳ ରହିଥିଲେ ଏବଂ କହିଥିଲେ ଯେ, ଏଥିପାଇଁ ତାଙ୍କୁ ପଛେ ନିଜ ପଦ ତ୍ୟାଗ କରିବାକୁ ପଡ଼ୁ, କିନ୍ତୁ ତିଳକଜୀଙ୍କ ପ୍ରତିମୂର୍ତି ନିଶ୍ଚୟ ପ୍ରତିଷ୍ଠିତ ହେବ । ଶେଷକୁ ପ୍ରତିମୂର୍ତି ଲାଗିଲା ଏବଂ ସର୍ଦ୍ଦାର ସାହେବ ୧୯୨୯ ଫେବୃୟାରୀ ୨୮ ତାରିଖ ଦିନ ଏହାର ଉଦ୍ଘାଟନ ଅନ୍ୟ କାହାରି ହାତରେ ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କରାଇଲେ ।
ଆଉ ସବୁଠାରୁ ମଜାକଥା ହେଲା ଯେ ଉଦ୍ଘାଟନ ଉତ୍ସବରେ ନିଜ ବକ୍ତବ୍ୟରେ ପୂଜ୍ୟ ବାପୁ କହିଲେ ଯେ, ସର୍ଦ୍ଦାର ପଟେଲ ଆସିବା ପରେ ଅହମଦାବାଦ ପୌର ନିଗମ କେବଳ ଜଣେ ବ୍ୟକ୍ତିଙ୍କୁ ପାଇନି ବରଂ ତାକୁ ସେ ସାହସ ମଧ୍ୟ ମିଳିଛି ଯାହାଫଳରେ ତିଳକଜୀଙ୍କ ପ୍ରତିମୂର୍ତି ନିର୍ମାଣ ସମ୍ଭବ ହୋଇପାରିଲା । ମୋର ପ୍ରିୟ ଦେଶବାସୀଗଣ, ଏହି ପ୍ରତିମୂର୍ତିର ବିଶେଷତ୍ୱ ହେଲା ଯେ, ଏହା ତିଳକଜୀଙ୍କର ଏଭଳି ଦୁର୍ଲଭ ମୂର୍ତି ଯେଉଁଥିରେ ସେ ଗୋଟିଏ ଚୌକିରେ ବସିଛନ୍ତି ଏବଂ ତଳେ ଲେଖା ହୋଇଛି “ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର” । ଆପଣମାନଙ୍କୁ ଇଂରେଜ ଶାସନକାଳର କଥା ହିଁ ତ କହୁଛି । ଲୋକମାନ୍ୟ ତୀଳକଜୀଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ ସାର୍ବଜନୀନ ଗଣେଶୋତ୍ସବ ପରମ୍ପରା ଆରମ୍ଭ ହୋଇଥିଲା । ସାର୍ବଜନୀନ ଗଣେଶ ଉତ୍ସବ ପାରମ୍ପରିକ ଶ୍ରଦ୍ଧାର ଉତ୍ସବ ସହିତ ସମାଜ ଜାଗରଣ, ସାମୁହିକତା ଲୋକମାନଙ୍କ ମଧ୍ୟରେ ଏକତା ଏବଂ ସମାନତାର ଭାବନାକୁ ବୃଦ୍ଧି କରିବାର ଗୋଟିଏ ପ୍ରଭାବଶାଳୀ ମାଧ୍ୟମ ପାଲଟିଯାଇଥିଲା । ସମୟ ଥିଲା ଯେତେବେଳେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଏକଜୁଟ ହେବାର ଆବଶ୍ୟକତା ଥିଲା । ଏହି ଉତ୍ସବମାନ ଜାତି ଏବଂ ସମ୍ପ୍ରଦାୟର ବାଧାବିଘ୍ନକୁ ଲଂଘନ କରି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାର କାମ କଲା । କାଳକ୍ରମେ ଏହି ଆୟୋଜନଗୁଡ଼ିକର ଲୋକପ୍ରିୟତା ବଢ଼ିଚାଲିଲା । ଏଥିରୁ ହିଁ ଜଣାପଡ଼େ ଯେ, ଆମର ପ୍ରାଚୀନ ପରମ୍ପରା ଏବଂ ଇତିହାସର ଆମର ବୀର ନାୟକମାନଙ୍କ ପ୍ରତି ଆଜି ମଧ୍ୟ ଆମ ଯୁବପିଢ଼ି ଆକର୍ଷିତ ହେଉଛି । ଆଜିକାଲି ଅନେକ ସହରରେ ତ ପ୍ରାୟ ପ୍ରତ୍ୟେକ ସାହିରେ ଗଣେଶ ପୂଜା ମଣ୍ଡପ ଦେଖିବାକୁ ମିଳିବ । ସାହିର ସବୁ ପରିବାର ମିଶି ଏହାର ଆୟୋଜନ କରନ୍ତି । ସମସ୍ତେ ଗୋଟିଏ ଟିମ୍ ରୂପେ କାମ କରନ୍ତି । ଏହା ଆମ ଯୁବବର୍ଗଙ୍କ ପାଇଁ ମଧ୍ୟ ଗୋଟିଏ ସୁନ୍ଦର ଅବସର ଯେଉଁଠି ସେମାନେ ନେତୃତ୍ୱ ଏବଂ ସଙ୍ଗଠନ ଭଳି ଗୁଣ ଶିଖିପାରିବେ ଓ ଏହାକୁ ନିଜ ମଧ୍ୟରେ ବିକଶିତ କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଗତଥର ମଧ୍ୟ ଅନୁରୋଧ କରିଥିଲି, ଆଉ ଆଜି ତିଳକଜୀଙ୍କୁ ସ୍ମରଣ କଲାବେଳେ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏଥର ମଧ୍ୟ ଆମେ ଗଣେଶ ଉତ୍ସବ ପାଳନ କରିବା, ଜାକଜମକରେ ପାଳନ କରିବା, ମନ-ପ୍ରାଣ ଦେଇ ପାଳନ କରିବା କିନ୍ତୁ ପରିବେଶ ଅନୁକୂଳ ଗଣେଶ ଉତ୍ସବ ପାଳନ କରିବାର ଇଚ୍ଛା ରଖିବା । ଗଣେଶଙ୍କ ମୂର୍ତିଠାରୁ ଆରମ୍ଭ କରି ସାଜସଜ୍ଜାର ସାମଗ୍ରୀ, ସବୁକିଛି ପରିବେଶ ଅନୁକୂଳ ହେଉ ଆଉ ମୁଁ ତ ଚାହୁଁଛି ଯେ, ପ୍ରତ୍ୟେକ ସହରରେ ପରିବେଶ ଅନୁକୂଳ ଗଣେଶ ଉତ୍ସବର ସ୍ୱତନ୍ତ୍ର ପ୍ରତିଯୋଗିତା ହେଉ, ସେମାନଙ୍କୁ ପୁରସ୍କାର ଦିଆଯାଉ । ତା’ଛଡ଼ା ଗଚ୍ଚଏକ୍ଟଙ୍ଖ ଓ ଘବକ୍ସରଦ୍ଭୟକ୍ସବଗକ୍ଟୟସଇକ୍ଟ୍ରକ୍ଟ୍ରରେ ମଧ୍ୟ ପରିବେଶ ଅନୁକୂଳ ଗଣେଶ ଉତ୍ସବ ସମ୍ପର୍କରେ ବ୍ୟାପକ ପ୍ରଚାର ହେଉ । ଆପଣଙ୍କ କଥା ମୁଁ ନିଶ୍ଚୟ ଲୋକମାନଙ୍କ ନିକଟରେ ପହଂଚାଇବି । ଲୋକମାନ୍ୟ ତିଳକ ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସର ଭାବନା ଜାଗ୍ରତ କରିଥିଲେ । ସେ ସ୍ଲୋଗାନ୍ ଦେଇଥିଲେ “ସ୍ୱରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର, ଆମେ ଏହାକୁ ଆମେ ନିଶ୍ଚୟ ହାସଲ କରିବୁ ।” ଆଜି ସେହିକଥା କହିବାର ସମୟ ଆସିଛି ଯେ, “ସ୍ୱରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର ଏବଂ ଆମେ ଏହାକୁ ନିଶ୍ଚୟ ହାସଲ କରିବୁ ।” ସୁଶାସନ ଏବଂ ବିକାଶର ସୁପରିଣାମ ପ୍ରତ୍ୟେକ ଭାରତୀୟଙ୍କ ନିକଟକୁ ପହଂଚିବା ଆବଶ୍ୟକ । ଏହାହିଁ ନୂତନ ଭାରତର ନିର୍ମାଣ କରିବ । ତିଳକଙ୍କ ଜନ୍ମର ୫୦ ବର୍ଷ ପରେ ଠିକ୍ ସେହିଦିନ ଅର୍ଥାତ୍ ଜୁଲାଇ ୨୩ ତାରିଖ ଦିନ ଭାରତମାତାଙ୍କର ଅନ୍ୟ ଜଣେ ସୁଯୋଗ୍ୟ ସନ୍ତାନ ଜନ୍ମଗ୍ରହଣ କରିଥିଲେ ଯିଏ ଦେଶବାସୀଙ୍କ ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଲେ । ମୁଁ ଚନ୍ଦ୍ରଶେଖର ଆଜାଦ୍ଙ୍କ କଥା କହୁଛି । ଭାରତରେ ଏଭଳି କେଉଁ ଯୁବକ ଥିବ ଯିଏ ଏହି ପଙ୍କ୍ତିକୁ ଶୁଣି ପ୍ରେରିତ ନ ହେବ?
“ସର୍ଫରୋଶୀ କି ତମନ୍ନା ଅବ୍ ହମାରେ ଦିଲ ମେ ହୈ
ଦେଖନା ହୈ ଯୋର କିତ୍ନା ବାଜୁ-ଏ-କାତିଲ୍ ମେ ହୈ” ।
ଏହି ପଙ୍କ୍ତି ଅଶ୍ଫାକ-ଉଲ୍ଲାହ ଖାନ୍, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଅନେକ ଯୁବକଙ୍କୁ ପ୍ରେରିତ କରିଥିଲା । ଚନ୍ଦ୍ରଶେଖର ଆଜାଦଙ୍କ ବୀରତ୍ୱ, ସ୍ୱାଧୀନତା ପାଇଁ ତାଙ୍କର ଆବେଗ ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇଥିଲା । ଆଜାଦ ନିଜ ଜୀବନ ଦେଲେ କିନ୍ତୁ ବିଦେଶୀ ଶାସନ ଆଗରେ କେବେହେଲେ ମୁଣ୍ଡ ନୁଅାଁଇଲେ ନାହିଁ । ମଧ୍ୟପ୍ରଦେଶରେ ଚନ୍ଦ୍ରଶେଖର ଆଜାଦଙ୍କ ଗ୍ରାମ ଅଲିରାଜପୁର ଯିବାର ସୁଯୋଗ ମୋତେ ମିଳିଛି ଯାହା ମୋର ସୌଭାଗ୍ୟ । ଆହ୍ଲାବାଦର ଚନ୍ଦ୍ରଶେଖର ଆଜାଦ ପାର୍କରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଛି । ଚନ୍ଦ୍ରଶେଖର ଆଜାଦ ଏଭଳି ଜଣେ ବୀରପୁରୁଷ ଥିଲେ, ଯିଏ ବିଦେଶୀଙ୍କ ଗୁଳିରେ ମରିବାକୁ ମଧ୍ୟ ଚାହୁଁନଥିଲେ । ବଂଚିବି ସ୍ୱାଧୀନତା ପାଇଁ ସଂଗ୍ରାମ କରି ଆଉ ମରିବି ମଧ୍ୟ ସ୍ୱାଧୀନ ଭାବରେ – ଏହାହିଁ ତ ଥିଲା ତାଙ୍କ ବିଶେଷତ୍ୱ । ପୁଣିଥରେ ଭାରତମାତାଙ୍କର ଦୁଇ ମହାନ ସନ୍ତାନ ଲୋକମାନ୍ୟ ତିଲକଜୀ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାର ସହ ପ୍ରଣାମ କରୁଛି ।
ଏଇ କିଛିଦିନ ତଳେ ଫିନଲାଣ୍ଡରେ ଚାଲିଥିବା ଜୁନିଅର ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍ରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ସାହସୀ ଝିଅ ଓ ଜଣେ ଚାଷୀଙ୍କ ସୁପୁତ୍ରୀ ହିମା ଦାସ ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଦେଶର ଆଉ ଜଣେ ସୁପୁତ୍ରୀ ଏକତା ଭୟାନ୍ ମୋ ଚିଠିର ପ୍ରତ୍ୟୁତରରେ ଇଣ୍ଡୋନେସିଆରୁ ମୋତେ ଇ-ମେଲ କରିଛନ୍ତି । ସେ ଏବେ ସେଠାରେ ଏସୀୟ କ୍ରୀଡା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଇ-ମେଲ ରେ ଏକତା ଲେଖିଛନ୍ତି ଯେ – “କୌଣସି ଖେଳାଳିର ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ହେଉଛି ଯେତେବେଳେ ସେ ତ୍ରିରଙ୍ଗ ପତାକା ଧରେ, ଆଉ ମୁଁ ତାହାକରି ଦେଖାଇଥିବାରୁ ମୁଁ ଗର୍ବିତ ।” ଏକତା, ଆମେମାନେ ମଧ୍ୟ ଆପଣଙ୍କୁ ନେଇ ଗର୍ବିତ ।
ଆପଣ ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ଟ୍ୟୁନିସିଆରେ ବିଶ୍ୱ ପାରା-ଆଥଲେଟିକ୍ସ ଗ୍ରାଁ ପ୍ରି ୨୦୧୮ରେ ଏକତା ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ଏଥିପାଇଁ ଖାସ୍ ଯେ, ସେ ତାଙ୍କ ପାଇଁ ଥିବା ଆହ୍ୱାନକୁ ନିଜର ସଫଳତାର ମାଧ୍ୟମ କରିଦେଲେ । ୨୦୦୩ରେ ଗୋଟିଏ ସଡ଼କ ଦୁର୍ଘଟଣା ଯୋଗୁଁ ଏକତାଙ୍କ ଶରୀରର ନିମ୍ନଭାଗ ଅକାମୀ ହୋଇଯାଇଥିଲା । କିନ୍ତୁ ଏହି ଝିଅ ସାହସ ହରାଇନଥିଲେ । ନିଜକୁ ସେତିକି ସୁଦୃଢ଼ କରି ସେ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟ ଜଣେ ଦିବ୍ୟାଙ୍ଗ ଯୋଗେଶ କଠୁନିଆଜୀ ବର୍ଲିନରେ ପାରା-ଆଥଲେଟିକ୍ସ ଗ୍ରାଁ ପ୍ରି ରେ ଡିସ୍କସ ଥ୍ରୋ ରେ ସ୍ୱର୍ଣ୍ଣପଦକ ଜିତି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କସହିତ ସୁନ୍ଦର ସିଂ ଗୁର୍ଜର ମଧ୍ୟ ଜାଭେଲିନ ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏକତା ଭୟାନ୍ ଜୀ, ଯୋଗେଶ କଠୁନିଆଜୀ ଓ ସୁନ୍ଦର ସିଂଜୀ – ଆପଣ ସମସ୍ତଙ୍କ ସାହସ ଏବଂ ଉତ୍ସାହକୁ ସଲାମ କରୁଛି, ଅଭିନନ୍ଦନ ଜଣାଉଛି । ଆପଣମାନେ ଆହୁରି ଆଗକୁ ବଢ଼ନ୍ତୁ, ଖେଳୁଥାନ୍ତୁ, ଉନ୍ନତି କରୁଥାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସଟି ଅନେକ ଐତିହାସିକ ଘଟଣା ଓ ଅନେକ ପର୍ବପର୍ବାଣୀରେ ପରିପୂର୍ଣ୍ଣ ଥାଏ । କିନ୍ତୁ ପାଣିପାଗ ଯୋଗୁଁ ବେଳେବେଳେ ବେମାରି ଘରେ ପ୍ରବେଶ କରିଯାଏ । ମୁଁ ଆପଣ ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ପାଇଁ, ଦେଶଭକ୍ତିର ପ୍ରେରଣା ଯୋଗାଉଥିବା ଏହି ଅଗଷ୍ଟ ମାସ ପାଇଁ ଏବଂ ଶହ ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ଅନେକ ପର୍ବପର୍ବାଣୀ ପାଇଁ, ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ‘ମନ୍ କି ବାତ୍’ରେ ପୁଣିଥରେ ଏକାଠି ହେବା । ବହୁତ ବହୁତ ଧନ୍ୟବାଦ ।
Comments are closed.