Latest Odisha News

ଟିଏମସି ସାଂସଦଙ୍କ ମିମିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ; ନାଁ ନ ନେଇ ରାହୁଲଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି । ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ସାଂସଦମାନେ   ହଙ୍ଗାମା କରି ନିଲମ୍ବିତ ହୋଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ଥିବାବେଳେ ଆଉ ଏକ ଅଭାବନୀୟ ଘଟଣା ସଂସଦ ବାହାରେ ଆଜି ଦେଖିବାକୁ ମିଳିଥିଲା ।

ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିଥିଲେ । ସାଂସଦମାନେ ଦଙ୍ଗାକାରୀ ସାଜନ୍ତୁ ନାହିଁ ବୋଲି ଅଧ୍ୟକ୍ଷ ଜଗଦୀପ ଧନଖଡ କହିବା ସହ ୪୫ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ତଥାପି ସାଂସଦମାନେ ହଟ୍ଟଗୋଳ ଜାରି ରଖିଥିଲେ ।

ଏହାପରେ ନିଲମ୍ବନ ଘଟଣାକୁ ନେଇ ବିପକ୍ଷ ଦଳର ନେତାମାନେ ଗୃହର ସିଡି ଉପରେ ବସି ଧାରଣା ଦେଇଥିଲେ । ତେବେ ଏଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।   ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କର ନକଲ କରୁଥିବା ଦେଖିବାକୁ ମିଳିଥିଲା । ଆଉ କଲ୍ୟାଣ  ବାନାର୍ଜୀଙ୍କ ଏପରି ମିମିକ୍ରିକୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଭିଡିଓ କରୁଥିଲେ ।

କଲ୍ୟାଣ ବାନାର୍ଜୀଙ୍କର ଏପରି ଆଚରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଧନଖଡ । ସେ କହିଛନ୍ତି, ତଳକୁ ଖସିବାର କୌଣସି ସୀମା ନ ଥାଏ । ସେ କହିଥିଲେ, ଏହା ଉପରେ ଏତିକି ମୁଁ କହିବି, ଏମାନଙ୍କର ସଦବୁଦ୍ଧି ଉଦୟ ହେଉ । ସେ କାହା ନାଁ ନ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ଜଣେ ବରିଷ୍ଠ ନେତା ଅନ୍ୟ ଜଣେ ନେତାଙ୍କର ଭଡିଓ ସୁଟ କରୁଥିଲେ ଯିଏ ଅଧ୍ୟକ୍ଷଙ୍କର ମିମିକ୍ରି କରୁଥିଲେ । ଏହା ଅତ୍ୟନ୍ତ ଦୁଃଖ ଏବଂ ଲଜ୍ଜାର କଥା ବୋଲି କହିଥିଲେ ଉପରାଷ୍ଟ୍ରପତି ।

Comments are closed.