Latest Odisha News

BREAKING NEWS

୩୧୬୦ କୋଟିର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରିଛନ୍ତି ।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨,୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ବାଲେଶ୍ୱର ଜିଲ୍ଲାର ୭ଟି ବ୍ଲକରେ ୫୬,୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ।
ଏହା ସହିତ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ରଖିଛନ୍ତି। ଏହା କାର୍ଯ୍ୟକାରୀ ହେବା ପରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯,୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ମୟୂରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ । ଏହା ଦ୍ୱାରା ୩ଟି ବ୍ଲକର ୬,୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ। ଏଥିସହିତ ୩୫,୦୦୦ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ।
ଏହି ଅବସରରେ ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି।
କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଓ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.